ଗୁଆହାଟି,୧୭ା୯: କୁହାଯାଏ ରଖେ ହରି ତ ମାରେ କିଏ। ଠିକ୍ ସେହିପରି ଏକ ଘଟଣା ଦେଖିବାକୁ ମିଳିଛି ଗୁଆହାଟିରେ। ଏଠାକାର ଜଣେ ଶହେ ବର୍ଷୀୟା ବୃଦ୍ଧା କରୋନାକୁ ହରାଇ ସୁସ୍ଥ ହୋଇଛନ୍ତି। ସାଧାରଣତଃ ବୟସାଧିକ ଲୋକଙ୍କୁ କରୋନା କବଳିତ କରିଥାଏ। ମାତ୍ର ଏହି ବୃଦ୍ଧା ଜଣଙ୍କ ସକାରାତ୍ମକ ମନୋଭାବ ରଖିଥିବାରୁ କରୋନାକୁ ହରାଇଲେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଗୁଆହାଟିସ୍ଥିତ ମହେନ୍ଦ୍ର ମୋହନ ଚୌଧୁରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ଆକ୍ରାନ୍ତ ମାଈ ହ୍ୟାଣ୍ଡିକ୍ଙ୍କୁ ଡିସ୍ଚାର୍ଜ କରାଯାଇଛି।
ବୃଦ୍ଧାଶ୍ରମରେ ରହୁଥିବା ହ୍ୟାଣ୍ଡିକ୍ ୧୦ ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇଛନ୍ତି। ଏହି ଖୁସିରେ ଡାକ୍ତର, ନର୍ସମାନେ ଆସାମିୟା ଗୀତ ଗାଇ ଉତ୍ସବ ପାଳନ କରିଛନ୍ତି।
ଅନ୍ୟପକ୍ଷରେ ହ୍ୟାଣ୍ଡିକ୍ କୁହନ୍ତି, ଡାକ୍ତର ଏବଂ ନର୍ସମାନେ ତାଙ୍କର ବହୁତ ଧ୍ୟାନ ରଖୁଥିଲେ। ସେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି। ବୃଦ୍ଧାଶ୍ରମରେ ରହୁଥିବା ୧୨ ଜଣ ଅନ୍ତେବାସୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ସେଥିରୁ ୫ ଜଣ ସୁସ୍ଥ ହୋଇଫେରିଛନ୍ତି।