Categories: ଜାତୀୟ

ଆସାମରେ ରାହୁଲ ଗାନ୍ଧୀଙ୍କ ନାମରେ ହଜାରେ ଅଭିଯୋଗ

ଗୁଆହାଟି,୧୫।୨: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ ‘ଭାରତର ଆତ୍ମା’ ଟୁଇଟ୍‌ ବିରୋଧରେ ଶହ ଶହ ଅଭିଯୋଗ ରୁଜୁ କରିଛନ୍ତି ଆସାମ ଭାଜପା ଓ ଏହାର ବିଭିନ୍ନ ସଂଗଠନ। ଓ୍ବେନାଡ୍‌ ଏମ୍‌ପିଙ୍କ ବିରୋଧରେ ‘ବାପ-ପୁଅ’ କମେଣ୍ଟ ପାଇଁ ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱା ଶର୍ମାଙ୍କ ବିରୋଧରେ କଂଗ୍ରେସର ଛାତ୍ରୀଛାତ୍ର ସଂଗଠନ ଆନ୍ଦୋଳନ ଆରମ୍ଭ କରିଛି। ଏପରିକି ଏହି ସଂଗଠନ ପକ୍ଷରୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ଅନ୍ୟପକ୍ଷରେ ଭାଜପା ସଦସ୍ୟମାନେ ଅଭିଯୋଗ କରିଛନ୍ତି ଯେ, ରାହୁଲ ତାଙ୍କ ଟୁଇଟରେ ଦେଶର ଉତ୍ତରପୂର୍ବର କୌଣସି ରାଜ୍ୟ ବିଷୟରେ ଉଲ୍ଲେଖ ନ କରି ସେମାନଙ୍କୁ ଦେଶରୁ ପୃଥକ କରିଛନ୍ତି।

ବରିଷ୍ଠ କଂଗ୍ରେସ ନେତା ୧୦ ତାରିଖରେ ଟୁଇଟ୍‌ କରିଥିଲେ, “ଆମ ସଂଘରେ ହିଁ ଶକ୍ତି ଅଛି। ଆମର ସଂସ୍କୃତି, ବିଭିଧତା, ଭାଷା, ରାଜ୍ୟର ସଂଘ ରହିଛି। କଶ୍ମୀରଠାରୁ କେରଳ, ଗୁଜରାଟରୁ ପଶ୍ଚିମବଙ୍ଗ। ଭାରତ ଏହାର ସମସ୍ତ ରଙ୍ଗରେ ସୁନ୍ଦର। ଭାରତର ଆତ୍ମାକୁ ଅସମ୍ମାନିତ କର ନାହିଁ”।

ଆସାମ ବିଜଓ୍ବୋଇଏମ୍‌ ଏକ ବିବୃତିରେ ବରିଷ୍ଠ କଂଗ୍ରେସ ନେତା ନିଜ ଟୁଇଟ୍‌ ଜରିଆରେ ଭାରତର ବର୍ଣ୍ଣନା କଲା ବେଳେ ଉତ୍ତରପୂର୍ବ ରାଜ୍ୟକୁ ବାଦ ଦେଇଛନ୍ତି। ଏହା ଭାରତର ଭୌଗଳିକ ଅଖଣ୍ଡତା ଓ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି। ଥାନାରେ କରାଯାଇଥିବା ଅଭିଯୋଗରେ ରାହୁଲ ପରୋକ୍ଷରେ ଚାଇନାର ଦାବିକୁ ସମର୍ଥନ କରିଛନ୍ତି। ଚାଇନା ଅରୁଣାଞ୍ଚଳ ପ୍ରଦେଶକୁ ନିଜର ଦାବି କରି ଆସୁଛି। ତାଙ୍କ ଟୁଇଟ୍‌ରେ ‘ବିଚ୍ଛିନ୍ନତାବାଦୀ ମାନସିକତା’ ପ୍ରକାଶ ପାଇଛି, ଯାହା ଏହି ପୁରୁଣା ଦଳର ଆଦର୍ଶକୁ ଦର୍ଶାଉଛି।

Share