Categories: ଜାତୀୟ

ତାଣ୍ଡବ ରଚିଲା ‘ବିପର୍ଯ୍ୟୟ’: ୧ ହଜାର ଗାଁରେ ବିଦ୍ୟୁତ୍‌ ସେବା ବନ୍ଦ

ନୂଆଦିଲ୍ଲୀ, ୧୬ା୬: ଆରବସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବପର୍ଯ୍ୟୟ’ ଗୁଜରାଟର କଚ୍ଛ ଜିଲା ଅଧୀନ ଜଖାଉ ବନ୍ଦର ନିକଟରେ ଭୂଭାଗ ଛୁଇଁଛି। ବ୍ୟାତ୍ୟାର ଲ୍ୟାଣ୍ଡଫଲ୍‌ ବେଳେ ପବନର ବେଗ ୧୨୫ କିଲୋମିଟରରୁ ୧୪୦ କିଲୋମିଟର ମଧ୍ୟରେ ରହିଥିବା ଜଣାପଡିଛି। ଭାରତ ପାଣିପାଗ ବିଭାଗ(ଆଇଏମ୍‌ଡି)ର ଶେଷ ବୁଲେଟିନ୍‌ ସୁଦ୍ଧା ବାତ୍ୟା ‘ବପର୍ଯ୍ୟୟ’ର ପ୍ରଭାବରେ ଗୁଜରାଟର ବିଭିନ୍ନ ସ୍ଥାନରେ ୫୨୪ରୁ ଅଧିକ ଗଛ ଏବଂ ବିଦ୍ୟୁତ୍‌ ଖୁଣ୍ଟ ଉପୁଡ଼ି ପଡିଛି। ଫଳରେ ପ୍ରାୟ ୧ହଜାର ଗ୍ରାମକୁ ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଯାଇଛି। ଘୂର୍ଣ୍ଣିବଳୟ ରାଜସ୍ଥାନ ମୁହାଁଇବା ସହ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବୋଲି ଆଇଏମ୍‌ଡି ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି। ଏନେଇ ୧୬ରୁ ୧୭ତାରିଖ ପର୍ଯ୍ୟନ୍ତ ରାଜସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶୁକ୍ରବାର ସନ୍ଧ୍ୟା ବେଳକୁ ଧୀରେ ଧୀରେ ବାତ୍ୟା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଦେବଭୂମି ଦ୍ୱାରକା ଜିଲାରେ ଗଛ ପଡ଼ି ୩ ଜଣ ଆହତ ହୋଇଛନ୍ତି। ରାସ୍ତାରୁ ଗଛ ଓ ଉପୁଡ଼ି ପଡ଼ିଥିବା ବିଦ୍ୟୁତ୍‌ ଖୁଣ୍ଟ ହଟାଇବା କାର୍ଯ୍ୟରେ ଗୁଜରାଟ ପୋଲିସ, ଏନ୍‌ଡିଆର୍‌ଏଫ୍‌ ଏବଂ ଯବାନଙ୍କୁ ବିଭିନ୍ନ ସ୍ଥାନରେ ନିୟୋଜିତ କରାଯାଇଛି।

Share