ନୂଆଦିଲ୍ଲୀ/ ଲକ୍ଷ୍ନୌ, ୨୮।୩: ଦେଶରେ ମହାମାରୀ କରୋନା ସଂକ୍ରମଣ କ୍ରମାଗତ ବଢ଼ିବାରେ ଲାଗିଛି। ସୋମବାର ଦେଶରେ ସକ୍ରିୟ ମାମଲା ୧୦,୩୦୦ରେ ପହଞ୍ଚିଥିବାବେଳେ ୧୩୪ଦିନରେ ସର୍ବାଧିକ କୋଭିଡ୍ ଆକ୍ଟିଭ୍ ମାମଲା ରେକର୍ଡ କରାଯାଇଛି। ଅନ୍ୟପକ୍ଷେ ଦୈନିକ କୋଭିଡ୍-୧୯ ସଂକ୍ରମଣ ୧,୮୦୫ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ସେହିପରି ଦେଶରେ ଦୈନିକ ପଜିଟିଭିଟି ହାର ୩.୧୯% ରହିଛି। ସେହିପରି ସାପ୍ତାହିକ ପଜିଟିଭିଟି ହାର ୧.୩୯% ରହିଛି। ରବିବାର ଦେଶରେ ମୋଟ ୯,୪୩୩ ସକ୍ରିୟ ମାମଲା ଚିହ୍ନଟ ହୋଇଥିଲା। ଅନ୍ୟପକ୍ଷେ ଉତ୍ତର ପ୍ରଦେଶରେ ପୁଣିଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ଆରମ୍ଭ ହୋଇଛି। ଲଖିମପୁର ଖେରିର କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ସୋମବାର ୩୯ ଜଣ ଛାତ୍ରୀ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ହୋଲି ଛୁଟିରୁ ଆସିଥିବା ଜଣେ ଛାତ୍ରୀ ସଂକ୍ରମିତ ବାହାରିବା ପରେ ସ୍କୁଲରେ ସାମୂହିକ କରୋନା ଟେଷ୍ଟ କରାଯାଇଥିଲା। ସ୍କୁଲ ଶିକ୍ଷୟିତ୍ରୀଶିକ୍ଷକ ଓ ଛାତ୍ରୀଙ୍କୁ ମିଶାଇ ମୋଟ ୯୨ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୩୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ।