ନୂଆଦିଲ୍ଲୀ,୨୬।୮:ଚଳିତ ବର୍ଷ ଶେଷ ସୁଦ୍ଧା ଭାରତୀୟ ଡାକ ବିଭାଗ ପକ୍ଷରୁ ଆଉ ୧୦,୦୦୦ ନୂଆ ଡାକଘର ଖୋଲାଯିବ ବୋଲି ବିଭାଗୀୟ ସଚିବ ଅମନ ଶର୍ମା ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସୂଚନା ଦେଇଛନ୍ତି। ବିଭାଗୀୟ ସେବାକୁ ସବୁ ବର୍ଗଙ୍କ ନିକଟରେ ପହଞ୍ଚାଇବାକୁ ଅଧିକ ଡାକଘର ଖୋଲିବାକୁ ସରକାର ଯୋଜନା କରୁଥିବା ସେ ମତ ବ୍ୟକ୍ତ କରିଛନ୍ତି। ସେହିଭଳି ଲୋକଙ୍କୁ ସେମାନଙ୍କ ଘରର ୫ କି.ମି. ଭିତରେ ବ୍ୟାଙ୍କିଙ୍ଗ୍ ଏବଂ ଆର୍ଥିକ ସେବା ଉପଲବ୍ଧ କରାଇବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ବୋଲି ଅମନ ସୂଚନା ଦେଇଛନ୍ତି। ଡାକଘରର ଆଧୁନିକୀକରଣ ପାଇଁ ସରକାର ପ୍ରାୟ ୫,୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ସେ କହିଛନ୍ତି। ଲୋକଙ୍କୁ ଡାକଘର ଆସିବା ପରିବର୍ତ୍ତେ ଟେକ୍ନୋଲୋଜି ସାହାଯ୍ୟରେ ତାଙ୍କ ଘର ପାଖରେ ସେବା ପହଞ୍ଚାଇବା ନେଇ ସରକାର ଲକ୍ଷ୍ୟ ରଖିଛନ୍ତି।