Categories: ଜାତୀୟ

ଗୁଜରାଟରେ ୧,୨୦୦ ଲୋକଙ୍କୁ ଠକିଛନ୍ତି ଚାଇନା ନାଗରିକ

ନୂଆଦିଲ୍ଲୀ,୧୯ା୮: ଜଣେ ଚାଇନା ନାଗରିକ ବେଟିଂ ଆପ୍‌ ବ୍ୟବହାର କରି ଗୁଜରାଟର ୧,୨୦୦ ଲୋକଙ୍କଠାରୁ ୧,୪୦୦ କୋଟି ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତିକୁ ନେଇ କଂଗ୍ରେସ ଶୁକ୍ରବାର କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାରଙ୍କୁ ଟାର୍ଗେଟ କରିଛି। ସରକାର ଏହା ଉପରେ ଶ୍ୱେତପତ୍ର ଆଣନ୍ତୁ ବୋଲି କଂଗ୍ରେସ ପକ୍ଷରୁ ଦାବି ହୋଇଛି। ବିରୋଧୀଙ୍କୁ ଟାର୍ଗେଟ କରି ସିବିଆଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏବଂ ଗମ୍ଭୀର ଠକେଇ ମାମଲା ତଦନ୍ତ ସଂସ୍ଥା (ଏସ୍‌ଏଫ୍‌ଆଇଓ) ଭଳି ତଦନ୍ତକାରୀ ସଂସ୍ଥାକୁ କେନ୍ଦ୍ର ବ୍ୟବହାର କରୁଥିବାବେଳେ ଭାରତୀୟମାନଙ୍କୁ ଲୁଟି ଦେଶ ଛାଡ଼ି ଚାଲିଯାଉଥିବା ଚାଇନା ଠକଙ୍କ ବିରୋଧରେ ତଦନ୍ତ ହେଉନାହିଁ ବୋଲି କଂଗ୍ରେସ ମୁଖପାତ୍ର ପଓ୍ବନ ଖେରା କହିଛନ୍ତି। ଚାଇନାର ଉ ଉୟାନବେ ଫୁଟ୍‌ବଲ ବେଟିଂ ଆପ୍‌ ଜରିଆରେ ଗୁଜରାଟର ୧,୨୦୦ ଲୋକଙ୍କଠାରୁ ୯ ଦିନରେ ୧,୪୦୦ କୋଟି ଟଙ୍କା ନେଇ ଦେଶ ଛାଡ଼ି ପଳାଇଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ତାଙ୍କୁ ଅଟକାଇ ପାରିଲେ ନାହିଁ ବୋଲି ଖେରା କହିଛନ୍ତି।

Share