୧୦୧ କିଲୋ ଗଞ୍ଜେଇ ଜବତ

ନନ୍ଦପୁର,୧୭ା୮(ଶଙ୍କର ପୂଜାରୀ): ଚୋରା ଚାଲାଣ ପାଇଁ ଜଙ୍ଗଲରେ ଗଚ୍ଛିତ ରଖିଥିବା ଗଞ୍ଜେଇକୁ ଗୁରୁବାର ପାଡୁଆ ପୋଲିସ ଜବତ କରିଛି। ଏହାର ପରିମାଣ ୧୦୧ କେଜି। ତେବେ ୨ ଚାଲାଣକାରୀ ଖସି ପଳାଇଛନ୍ତି। ଏନେଇ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ନନ୍ଦପୁର ଏସ୍‌ଡିପିଓ ସଞ୍ଜୟ ମହାପାତ୍ର କହିଛନ୍ତି।

ନନ୍ଦକା ପଞ୍ଚାୟତର ବିଜାଗୁଡା ଜଙ୍ଗଲରେ ଚୋରା ଚାଲାଣ ପାଇଁ ଗଞ୍ଜେଇ ଗଚ୍ଛିତ ଥିବା ନେଇ ଗୋଇନ୍ଦା ସୂଚନାକୁ ଆଧାର କରି ପାଡୁଆ ଥାନା ଅଧିକାରୀ ଅଶୋକ ବିଶୋୟୀ, ଏସଆଇ ହୃଷୀକେଶ ବେନିଆ, ୨ଜଣ ଏଏସ୍‌ଆଇଙ୍କ ସହ ଯବାନଙ୍କୁ ନେଇ ଗଠିତ ଟିମ୍‌ ଜଙ୍ଗଲରେ ଚଢାଉ କରିଥିଲେ। ତେବେ ପୋଲିସକୁ ଦେଖି ଉପସ୍ଥିତ ଥିବା ଦୁଇଜଣ ଖସି ପଳାଇଥିଲେ। ଘଟଣା ସ୍ଥଳରୁ ୫ଟି ବସ୍ତାରେ ଥିବା ଗଞ୍ଜେଇକୁ ପୋଲିସ ଜବତ କରି ଆଣିଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହାକୁ ଓଜନ କରିବାରୁ ଏହା ୧୦୧ କିଲୋ ହୋଇଥିଲା। ପାଡୁଆ ଥାନାରେ ଏନେଇ ଏକ ମାମଲା( ନଂ. ୧୦୭/୨୩) ରୁଜୁ ହୋଇଛି। ଏସ୍‌ଆଇ ଦୀପକ ବାରିକ ଏହାର ତଦନ୍ତ ଦାୟିତ୍ୱରେ ଅଛନ୍ତି ବୋଲି ଏସ୍‌ଡିପିଓ ମହାପାତ୍ର କହିଛନ୍ତି।