ଭାଙ୍ଗିପାରେ କପୁର ବଂଶର ୧୦୨ବର୍ଷ ପୁରୁଣା ପୈତୃକ ଘର

ଇସ୍‌ଲାମାବାଦ୍‌,୧୩।୭: ପାକିସ୍ତାନ ପେଶାଓ୍ବର ସହରରେ ଥିବା କପୁର ବଂଶଜଙ୍କ ଐତିହାସିକ ଉତ୍ତରଧିକାରୀ ଏବେ ସଙ୍କଟରେ। ପୃଥ୍ବୀରାଜ କପୁର ଓ ଶୋ ମ୍ୟାନ ରାଜ କପୁରଙ୍କ ଜନ୍ମର ସାକ୍ଷୀ ଥିବା ତାଙ୍କ ପୈତୃକ ଘର ଏବେ ମାଟିରେ ମିଶିପାରେ। ପେଶାଓ୍ବର କିଶା ଖାନି ବଜାର ସ୍ଥିତ କପୁର ବଂଶର ଏହି ବିଶାଳମୟ କୋଠାକୁ ୧୯୧୮ରୁ ୧୯୨୨ ମଧ୍ୟରେ ନିର୍ମାଣ କରାଯାଇଥିଲା। କୁହାଯାଏ, ଏହା ୧୦୨ ବର୍ଷର ପୁରୁଣା ବିଶାଳମୟ କୋଠା। ସେହି ସମୟର ସୌନ୍ଦର୍ଯ୍ୟଭରା କୋଠା ଏବେ ଜର୍ଜରିତ ଅବସ୍ଥାରେ। କେତେବେଳେ ବି ଏହା ଭୁଷୁଡ଼ିପାରେ।

ତେଣୁ ଏହି କୋଠାର ବର୍ତ୍ତମାନ ମାଲିକ ହାଜି ମହମ୍ମଦ ଇଶରାର ଚାହୁଁଛନ୍ତି ଯେ, ଏହାକୁ ଭାଙ୍ଗି ସେଠାରେ ଏକ କମର୍ସିଆଲ କମ୍ଲେକ୍ସ ନିର୍ମାଣ କରିବାକୁ। ଏହା ପୂର୍ବରୁ ଏହି ବିଶାଳ କୋଠାର ଜର୍ଜରିତ ଅବସ୍ଥା ଦେଖି ଭାଙ୍ଗିବାକୁ ଚେଷ୍ଟା ମଧ୍ୟ କରାଯାଇଛି। କିନ୍ତୁ ୨୦୧୮ରେ ରିଷି କପୁରଙ୍କ ନିବେଦନ ରକ୍ଷା କରି ପାକିସ୍ତାନ ସରକାର ଏହି ମହଲକୁ ଏକ ସଂଗ୍ରହାଳୟ କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ଆଜି ଯାଏଁ ହୋଇପାରିନାହିଁ। ପୂର୍ବରୁ ଏହି ବଙ୍ଗଳାକୁ ଇଶରାର ୩ରୁ ୪ଥର ଭାଙ୍ଗିବାକୁ ଚେଷ୍ଟା କରିସାରିଛନ୍ତି। କିନ୍ତୁ ପୁଙ୍ଖତୁଓ୍ବା ଐତିହ୍ୟସ୍ଥଳ ବିଭାଗ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିବାରୁ ଇଶରାର ଏହାକୁ ଭାଙ୍ଗିବାରେ ସକ୍ଷମ ହୋଇପାରି ନ ଥିଲେ। ଅପରପକ୍ଷେ ଉକ୍ତ ବଙ୍ଗଳାର ଐତିହାସିକ ମହତ୍ତ୍ୱକୁ ଦେଖି ସରକାର ଏହାକୁ କିଣିବାକୁ ଚାହୁଁଛନ୍ତି। ଯାଦ୍ୱାରା ଏହାକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯାଇପାରିବ। କିନ୍ତୁ ଇଶରାର ଏହାକୁ ଭାଙ୍ଗି କମର୍ସିଆଲ କମ୍ପ୍ଲେକ୍ସ ତିଆରି କରିବାକୁ ଜିଦ୍‌ ଧରିବସିଛନ୍ତି।

Share