ଚମ୍ପୁଆ ରେଞ୍ଜରେ ୧୦୩ ହାତୀ

ଚମ୍ପୁଆ,୧୪ା୧୨(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜରେ ୬ଟି ଦଳରେ ୧୦୩ ହାତୀ ଉପଦ୍ରବ କରୁଛନ୍ତି। ହାତୀପଲ ଦିନବେଳା ଜଙ୍ଗଲରେ ରହୁଥିବା ବେଳେ ରାତିହେଲେ ପାଚିଲା ଧାନକ୍ଷେତରେ ପ୍ରବେଶ କରି କ୍ଷତି ଘଟାଉଛନ୍ତି। ହାତୀପଲ ଉପରେ ନଜର ରହିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ସୂଚନା ଅନୁସାରେ, ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନରେ ୨୩ଟି ହାତୀ, ବାଲିବନ୍ଧ ସେକ୍ସନରେ ୨୨, ବାମେବାରୀ ସେକ୍ସନରେ ୨ ଦଳରେ ୧୯ ଓ ୧୧ ହାତୀ ରହିଥିବା ବେଳେ ଚମ୍ପୁଆ ସେକ୍ସନରେ ୨ ଦଳରେ ୧୬ ଓ ୧୨ ହାତୀ ରହିଛନ୍ତି। ହାତୀପଲରେ ୨୮ ହାତୀ ଛୁଆ ରହିଥିବା ବେଳେ ୪୬ ମାଈ ହାତୀ ଓ ୨୯ ଦନ୍ତା ଥିବା ଜଣାପଡ଼ିଛି। ହାତୀ ବିଭିନ୍ନ ଅଞ୍ଚଳରେ ଧାନ କ୍ଷେତରେ ପଶି ନଷ୍ଟ କରୁଛନ୍ତି। ବର୍ତ୍ତମାନ ଧାନ ଅମଳ ସମୟ ହୋଇଥିବାରୁ ଚାଷୀମାନଙ୍କ ମଧ୍ୟରେ ଫସଲ ଅମଳକୁ ନେଇ ଆଶଙ୍କା ଦେଖାଯାଇଛି। ବନ ବିଭାଗ ପକ୍ଷରୁ ହାତୀସ୍କ୍ବାଡ୍‌ ଓ ଗଜସାଥୀମାନେ ହାତୀଙ୍କ ଗତିବିଧି ଉପରେ ୨୪ ଘଣ୍ଟା ନଜର ରଖିଛନ୍ତି। ରେଲଓ୍ବେ, ବିଦ୍ୟୁତ୍‌ ବିଭାଗ ଓ ଜାତୀୟ ରାଜପଥ ପ୍ରାଧିକରଣ ସହ ଯୋଗାଯୋଗରେ ଅଛୁ। ଏଥିସହ ଗ୍ରାମବାସୀଙ୍କ ସହଯୋଗ ମଧ୍ୟ ମିଳୁଥିବା ଚମ୍ପୁଆ ରେଞ୍ଜର ସଞ୍ଜୀବ୍‌ ରାଉତ କହିଛନ୍ତି।

Share