ନିକଟରେ ୫ମ ବିବାହ କରିଥିବା ଶତାୟୁ ବୃଦ୍ଧ କରୋନାକୁ ହରାଇଲେ

କରୋନା ସଂକ୍ରମଣ ସମଗ୍ର ବିଶ୍ୱରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ପାକିସ୍ତାନରେ ୨.୭୪ଲକ୍ଷ ଲୋକ ଏଥିରେ ସଂକ୍ରମିତ ହୋଇଥିବା ବେଳେ ୫,୮୪୨ଜଣଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ତେବେ ଆଶ୍ଚର୍ଯ୍ୟର କଥା ହେଲା ନିକଟରେ ୫ମ ବିବାହ କରିଥିବା ଜଣେ ୧୦୩ ବର୍ଷୀୟ ବୃଦ୍ଧ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାକି ସମସ୍ତଙ୍କୁ ଚକିତ କରିଦେଇଛି। କାରଣ ବୃଦ୍ଧ ବୟସରେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ହ୍ରାସ ପାଉଥିବା ବେଳେ ସେ କରୋନାକୁ ହରାଇବା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ କଥା।
ପାକିସ୍ତାନର ପାର୍ବତ୍ୟ ଅଞ୍ଚଳରେ ଅବସ୍ଥିତ ଚିତ୍ରାଲ ଜିଲାରେ ରୁହନ୍ତି ୧୦୩ ବର୍ଷୀୟ ଅଜିଜ ଅବ୍‌ଦୁଲ। ତାଙ୍କ ଗାଁ ଚାଇନା ଏବଂ ଆଫଗାନିସ୍ତାନରେ। ତେବେ ସେ ଚିତ୍ରାଲ ଜିଲାରେ ସପରିବାର ରହିଆସୁଛନ୍ତି। ଜୁଲାଇ ପ୍ରଥମ ସପ୍ତାହରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଲା। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା। ପ୍ରାୟ ୩ ସପ୍ତାହ ହସ୍ପିଟାଲରେ ରହି ଚିକିତ୍ସିତ ହେବା ପରେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ନିକଟରେ ଅଜିଜ ନିଜର ୪ର୍ଥ ସ୍ତ୍ରୀଙ୍କୁ ଡିଭର୍ସ ଦେଇ ୫ମ ବିବାହ କରିଥିଲେ। ବର୍ତ୍ତମାନ ଅଜିଜଙ୍କର ୪ ସ୍ତ୍ରୀ, ୯ ପୁଅ ଏବଂ ଜଣେ ଝିଅ ଅଛନ୍ତି। ଏ ନେଇ ଅଜିଜ୍‌ କୁହନ୍ତି, କରୋନା ପଜିଟିଭ ଜଣାପଡ଼ିବା ପରେ ସେ ବଞ୍ଚିବାର ଆଶା ଛାଡି ଦେଇଥିଲେ। ମାତ୍ର ସୁସ୍ଥ ହୋଇ ଘରକୁ ଫେରିଥିବାରୁ ସେ ବହୁତ ଖୁସି ଥିବା କହିଛନ୍ତି।

Share