ରୋଗରୁ ଦୂରେଇ ରହିବା ପାଇଁ ପିମ୍ପୁଡି ଖାଆନ୍ତି ଏହି ଜନଜାତି…

ପିମ୍ପୁଡି ନିଜ ଶରୀରରେ ପ୍ରତିଷେଧକ ଶକ୍ତି ସୃଷ୍ଟି କରିବା ପାଇଁ ଏକ ପ୍ରକାର ଆଣ୍ଟିବାୟୋଟିକ୍ସ୍‌ ପ୍ରସ୍ତୁତ କରିଥାନ୍ତି। ଏହା ମନୁଷ୍ୟଠାରେ ଦେଖାଯାଉଥିବା କେତେକ ରୋଗର ନିଦାନ କ୍ଷେତ୍ରରେ ବେଶ୍‌ ଉପଯୋଗୀ ସାବ୍ୟସ୍ତ ହୋଇଥାଏ। ଏସମ୍ପର୍କରେ ଆମେରିକାର ଉତ୍ତର କାରୋଲିନା ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଉଲ୍ଲେଖ ହୋଇଛି। ସୋଲିନୋପିସିସ୍‌ ମୋଲେଷ୍ଟା ନାମକ ଏକ ପିମ୍ପୁଡି ପ୍ରଜାତି ଏକ ପ୍ରକାର ଆଣ୍ଟିବାୟୋଟିକ୍ସ୍‌ ପ୍ରସ୍ତୁତ କରିଥାନ୍ତି। ମନୁଷ୍ୟଠାରେ ଦେଖାଯାଉଥିବା କେତେକ କବକ ଜାତୀୟ ରୋଗର ନିଦାନ କ୍ଷେତ୍ରରେ ଏହି ଆଣ୍ଟିବାୟୋଟିକ୍ସ୍‌ର ବ୍ୟବହାର କରାଯାଇ ସଫଳତା ମିଳିଥିବା ଗବେଷକ କହିଛନ୍ତି। ଗବେଷକ ୨୦ଟି ପିମ୍ପୁଡି ପ୍ରଜାତି ଉପରେ ଦୀର୍ଘଦିନ ଧରି ପରୀକ୍ଷା ଚଳାଇଥିଲେ। ସେସବୁ ପ୍ରଜାତି ମଧ୍ୟରୁ ୧୨ଟିଠାରେ ସୃଷ୍ଟି ହେଉଥିବା ପ୍ରତିଷେଧକ ରାସାୟନିକ ପଦାର୍ଥ ପିମ୍ପୁଡିକୁ ବିଭିନ୍ନ ରୋଗରୁ ମୁକ୍ତି ପ୍ରଦାନ କରିଥାଏ ବୋଲି ଗବେଷଣା ରିପୋର୍ଟରେ ପ୍ରକାଶ ପାଇଛି। ଏବେ ମଧ୍ୟ ଆଫ୍ରିକାର ଘନ ଜଙ୍ଗଲ ମଧ୍ୟରେ ଥିବା ହିମ୍ବା ଜନଜାତି ଏଭଳି ପିମ୍ପୁଡିଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଆଣ୍ଟିବାୟୋଟିକ୍ସକୁ ବ୍ୟବହାର କରିଥାନ୍ତି। ସେମାନେ ଏହି ପ୍ରଜାତିର ପିମ୍ପୁଡିକୁ କେତେକ ନିର୍ଦ୍ଦିଷ୍ଟ ରୋଗ ସମୟରେ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି। ପିମ୍ପୁଡି ମଧ୍ୟରେ ଥିବା ରାସାୟନିକ ପଦାର୍ଥ ଖାଦ୍ୟ ମାଧ୍ୟମରେ ଏହି ଜନଜାତିଙ୍କ ଶରୀରକୁ ଆସିଥାଏ। ଫଳରେ ସେମାନଙ୍କୁ ସହଜରେ ମିଳିମିଳା, କେତେକ କବକ ଜାତୀୟ ରୋଗ, ଶ୍ୱାସରୋଗ ଆଦି ସହଜରେ ହୋଇ ନ ଥାଏ।

Share