ଭୂମିହୀନ ଚାଷୀଙ୍କ ପାଇଁ ‘ବଳରାମ’: ୭ ଲକ୍ଷ ଚାଷୀଙ୍କୁ ଦିଆଯିବ ୧୦୪୦ କୋଟି ଋଣ

ଭୁବନେଶ୍ୱର,୩।୭(ବ୍ୟୁରୋ): ଭୂମିହୀନ ଚାଷୀମାନଙ୍କୁ କୃଷିଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ବଳରାମ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ଚାଷୀମାନଙ୍କୁ ୧୦୪୦ କୋଟି ଟଙ୍କା ଋଣ ଯୋଗାଇ ଦିଆଯିବ। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ପ୍ରାୟ ୭ ଲକ୍ଷ ଚାଷୀଙ୍କୁ ଋଣ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଜଏଣ୍ଟ୍‌ ଲିଆବିଲିଟି ଗ୍ରୁପ୍‌ (ଜେଏଲ୍‌ଜି) ମାଧ୍ୟମରେ ଭୂମିହୀନ ଚାଷୀମାନଙ୍କୁ ଋଣ ଦେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ତରରେ ଇମେଜ ଏବଂ ଜିଲା ସ୍ତରରେ ଆତ୍ମା ସଂସ୍ଥା ଏହି କାର୍ଯ୍ୟକ୍ରମର ସଂଯୋଜନା କରିବେ। ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହରାଞ୍ଚଳଗୁଡିକରେ ବିଭିନ୍ନ ବ୍ୟାଙ୍କ୍‌ ଏବଂ ପ୍ରାଥମିକ କୃଷି ସମବାୟ ସଂସ୍ଥାର ପ୍ରାୟ ୭୦୦୦ ଶାଖା ଥିବା ଜଣାପଡିଛି । ପ୍ରତି ବ୍ୟାଙ୍କ ଶାଖାକୁ ଚଳିତ ବର୍ଷ ଅତି କମ୍‌ରେ ୧୦ଟି ଜେଏଲ୍‌ଜିଙ୍କୁ ଋଣ ଦେବା ପାଇଁ କୁହାଯାଇଛି ।
ଏହା ଫଳରେ ପ୍ରାୟ ୭୦,୦୦୦ ଗ୍ରୁପ୍‌ ଚଳିତ ବର୍ଷ କୃଷିଋଣ ପାଇପାରିବେ। ଗୋଟିଏ ଗ୍ରୁପ୍‌ରେ ୫ ଜଣ ଚାଷୀ ରହିବେ । ବର୍ଷକୁ ୩.୫ ଲକ୍ଷ ଚାଷୀ ହିସାବରେ ୨ ବର୍ଷ ମଧ୍ୟରେ ପ୍ରାୟ ୭ ଲକ୍ଷ ଭୂମିହୀନଙ୍କୁ କୃଷିଋଣ ଯୋଗାଇବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ପ୍ରତି ଗ୍ରୁପ୍‌ ୧.୬୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ । କୃଷକ ସାଥୀ ଏବଂ ଗ୍ରାମ କୃଷି କର୍ମଚାରୀମାନେ ଗ୍ରୁପ୍‌ ଗଠନ କରି ସେମାନଙ୍କୁ ବ୍ୟାଙ୍କଗୁଡ଼ିକ ସହ ସଂଯୋଜିତ କରିବେ।
ଋଣ ଯୋଗାଣ ଏବଂ ଋଣ ପୈଠ ଆଦିରେ ସହାୟତା କରିବେ । ଏହି କାର୍ଯ୍ୟ ପାଇଁ ସେମାନଙ୍କୁ ଜିଲାସ୍ତରୀୟ ଆତ୍ମା ସଂସ୍ଥା ମାଧ୍ୟମରେ ପ୍ରୋତ୍ସାହନ ଦେବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ଭୂମିହୀନ ଚାଷୀମାନଙ୍କୁ ଏହି ଋଣ ସାଧାରଣ କୃଷି ଋଣ ଆକାରରେ ଦିଆଯିବ । ଏହାର ସୁଧ ହାର ଏବଂ ସୁଧ ରିହାତି ଆଦି ରାଜ୍ୟ ସରକାରଙ୍କ କୃଷି ଋଣ ନିୟମ ଅନୁଯାୟୀ ହେବ। ନାବାର୍ଡାର ଓଡ଼ିଶା ମୁଖ୍ୟ ମହା ପ୍ରବନ୍ଧକ ଏ. ଚନ୍ଦ୍ରଶେଖର କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଏହି ଯୋଜନା ଏକ ଅଭିନବ ପ୍ରୟାସ । ଅନ୍ୟ କୌଣସି ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇନାହିଁ । ଏହି ଯୋଜନା ସଫଳ ହେଲେ ସମଗ୍ର ଦେଶ ପାଇଁ ଏକ ମଡେଲ୍‌ ହେବ।
ଏହି ବୈଠକରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଓ କୃଷକ ସଶକ୍ତୀକରଣ ପ୍ରମୁଖ ଶାସନ ସଚିବ ସୌରଭ ଗର୍ଗ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ ମୀନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ପ୍ରମୁଖ ଯୋଗ ଦେଇଥିଲେ।

Share