୧୦୫ ଅତି ଉତ୍ତେଜନା ପ୍ରବଣ ବୁଥ୍‌ ଚିହ୍ନଟ

ନିମାପଡ଼ା,୧୬।୨(ଡି.ଏନ୍‌.ଏ.):  ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନିମାପଡ଼ା ବ୍ଲକରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଆସନ୍ତା ୧୮ତାରିଖରେ ନିମାପଡ଼ା ବ୍ଲକର ୪ଟି ଜିଲା ପରିଷଦ ଜୋନ, ୩୨ ପଞ୍ଚାୟତର ୩୨ ସରପଞ୍ଚ, ୩୨ ସମିତିସଭ୍ୟ ପଦବୀ ପାଇଁ ନିର୍ବାଚନ ହେବ। ସେହିଭଳି ୪ ଜିଲା ପରିଷଦ ପଦବୀ ପାଇଁ ୧୮ଜଣ ପ୍ରାର୍ଥୀ, ସରପଞ୍ଚ ପଦ ପାଇଁ ୧୦୦ଜଣ ପ୍ରାର୍ଥୀ, ସମିତିସଭ୍ୟ ପାଇଁ ୯୩ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ଏହି ବ୍ଲକର ୮୧,୬୪୪ଜଣ ପୁରୁଷ ଭୋଟର, ୭୬,୦୮୮ଜଣ ମହିଳା ଭୋଟର ମୋଟରେ ୧, ୫୭, ୭୩୬ ଜଣ ମତଦାତା ନିଜ ମତଦାନ ସାବ୍ୟସ୍ତ କରିବେ। ଏହି ନିର୍ବାଚନ ପାଇଁ ମୋଟରେ ୪୮୧ ବୁଥ ରହିଥିବା ବେଳେ ୭ଟି ଅସ୍ଥାୟୀ ବୁଥ୍‌ ମଧ୍ୟ ରହିଛି। ଏହି ବୁଥ୍‌ଗୁଡ଼ିକ ମଧ୍ୟରୁ ୧୦୫ଟି ବୁଥ୍‌ ଅତି ଉତ୍ତେଜନାପ୍ରବଣ ବୁଥ୍‌ ଭାବେ ଚିହ୍ନଟ ହୋଇଥିବା ବ୍ଲକ କାର୍ଯ୍ୟାଳୟ ସୂତରୁ ସୂଚନା ମିଳିଛି। ଅସ୍ଥାୟୀ ବୁଥଗୁଡ଼ିକର ନିରାପତ୍ତା ଓ ଅତିଉତ୍ତେଜନାପ୍ରବଣ ବୁଥ୍‌ ପ୍ରତି ଧ୍ୟାନ ଦେବାକୁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ବସନ୍ତ କୁମାର ମଲ୍ଲିକ କହିଛନ୍ତି। ଏହି ବ୍ଲକ ପାଇଁ ୧,୯୨୪ ଜଣ ପ୍ରିଜାଇଡିଂ ଅଫିସର, ଫାଷ୍ଟ ଓ ସେକେଣ୍ଡ ପୋଲିଂ ଅଫିସର, ୪ର୍ଥ ଶ୍ରେଣୀ କର୍ମଚାରୀ ଆଦି ନିୟୋଜିତ ହେବେ ବୋଲି ବିଡିଓ ସୂଚନା ଦେଇଛନ୍ତି।

Share