ଇସ୍ରାଏଲ୍‌ ଆକ୍ରମଣରେ ୧୦୬ ମୃତ

ଜେରୁଜେଲମ୍‌/ଡେଇର୍‌ ଅଲ୍‌-ବଲାହ,୨୬ା୧୨: ହମାସ୍‌ ଆତଙ୍କବାଦୀଙ୍କ ଆକ୍ରମଣରେ ଇସ୍ରାଏଲ୍‌ର ୧୫ ସୈନ୍ୟ ନିହତ ହେବା ପରେ ଜେରୁଜେଲମ୍‌ ଆକ୍ରମଣକୁ ଆହୁରି ଜୋର୍‌ଦାର କରିଛି। ରବିବାର ରାତିରେ ଇସ୍ରାଏଲୀ ସେନାର ବୋମାମାଡ଼ରେ ୧୦୬ ଜଣଙ୍କ ମୃତ୍ୟୁ ଘଟିଛି। ଗାଜାର ଡେଇର୍‌ ଅଲ୍‌-ବଲାହ ନିକଟରେ ହୋଇଥିବା ଆକ୍ରମଣରେ ୬୮ ଜଣ ପ୍ରାଣ ହରାଇଛନ୍ତି। ସେମାନଙ୍କ ମଧ୍ୟରେ ୧୨ ଜଣ ମହିଳା ହୋଇଥିବାବେଳେ ୭ ଶିଶୁ ଅଛନ୍ତି। ଏହା ବ୍ୟତୀତ ଦକ୍ଷିଣ ଗାଜାର ଖାନ୍‌ ୟୁନିସ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌ରେ ୨୩ ଜଣ ନିହତ ହୋଇଛନ୍ତି। ସୈନ୍ୟଙ୍କ ମୃତ୍ୟୁର ବଡ଼ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଇସ୍ରାଏଲ୍‌ କହିଛି। ଡେଇର୍‌ ଅଲ୍‌-ବାଲାହ ପୂର୍ବ ଭାଗରେ ଥିବା ମାଘାଜି ଶରଣାର୍ଥୀ ଶିବିର ଉପରେ ବୋମାମାଡ଼ ଯୋଗୁ ଶିଶୁଙ୍କ ସମେତ ଅନେକ ମୃତାହତ ହୋଇଛନ୍ତି। ଗାଜାର ଆଉ କୌଣସି ସ୍ଥାନ ନିରାପଦ ନୁହେଁ। ଇସ୍ରାଏଲ୍‌ ସୈନ୍ୟଙ୍କ ଟାର୍ଗେଟରେ ସମସ୍ତେ ରହିଥିବା ଅହମଦ ଟୁରୋକମନି ନାମକ ଜଣେ ସ୍ଥାନୀୟ ବ୍ୟକ୍ତି କହିଛନ୍ତି। ସେ ତାଙ୍କ ପରିବାରର ବହୁ ସଦସ୍ୟଙ୍କୁ ଆକ୍ରମଣରେ ହରାଇଛନ୍ତି।
ଖ୍ରୀଷ୍ଟମାସର ପୂର୍ବ ରାତି ଆତଙ୍କରେ ଭରିଯାଇଥିଲା। ବୋମାମାଡ଼ରେ ଆକାଶ ଧୂଆଁମୟ ହୋଇଯାଇଥିଲା। ଇସ୍ରାଏଲ୍‌ ବୋମାମାଡ଼ ଜାରି ରଖିଥିବାରୁ ଖ୍ରୀଷ୍ଟମାସରେ ସେମାନେ ଖୁସି ଅନୁଭବ କରୁ ନ ଥିବା ପାଲେଷ୍ଟିନୀୟମାନେ କହିଛନ୍ତି। ଆକ୍ରମଣରେ ଗାଜାର ୨୦,୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ଯୁଦ୍ଧ କେବେ ଶେଷ ହେବ ତାହା କହିହେଉ ନାହିଁ। ଏପରିକି ଯିଶୁଙ୍କ ଜନ୍ମସ୍ଥାନ ଓ୍ବେଷ୍ଟବ୍ୟାଙ୍କର ବେଥଲେହାମ୍‌ ସହରରେ ମଧ୍ୟ ଉତ୍ସବ ପାଳନ ହୋଇନାହିଁ। ସେଠାରେ ଖୁବ୍‌ କମ୍‌ ସଂଖ୍ୟାରେ ଉପାସକ ଏବଂ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳିଛି। ସବୁବର୍ଷ ଖ୍ରୀଷ୍ଟମାସରେ ସେଠାରେ ପ୍ରବଳ ଗହଳି ହୋଇଥାଏ। ଚଳିତ ବର୍ଷ ଇସ୍ରାଏଲ୍‌ ଆକ୍ରମଣ ଯୋଗୁ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ଭୟରେ ସେଠାକୁ ଆସି ନାହାନ୍ତି। ଫଳରେ ହୋଟେଲ, ରେଷ୍ଟୁରାଣ୍ଟଠାରୁ ଆରମ୍ଭ କରି ଦୋକାନବଜାର ଖାଁଖାଁ। ଖ୍ରୀଷ୍ଟମାସରେ ବେଥ୍‌ଲେହାମ ବନ୍ଦ ରହିବା ଦୁଃଖଦାୟକ ବୋଲି ସେଠାର ଏକ ହୋଟେଲ ମାଲିକ ଜୋଏ କାନାଭଟି କହିଛନ୍ତି।

Share