Categories: ଖେଳ

ସର୍ଫରାଜଙ୍କ ହାତରୁ ଗଲା ଟେଷ୍ଟ, ଟି୨୦ ନେତୃତ୍ୱ

କରାଚୀ,୧୮।୧୦- ସର୍ଫରାଜ ଅହମ୍ମଦଙ୍କୁ ଶୁକ୍ରବାର ପାକିସ୍ତାନ ଟେଷ୍ଟ ଓ ଟି୨୦ ଦଳର ଅଧିନାୟକ ପଦରୁ ବିଦା କରାଯାଇଛି। ଶ୍ରୀଲଙ୍କା ବିପକ୍ଷ ଘରୋଇ ସିରିଜ୍‌ରେ ପରାଜୟ ଯୋଗୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଶୁକ୍ରବାର ହୋଇଥିବା ବିଧିବଦ୍ଧ ଘୋଷଣା ଅନୁଯାୟୀ, ଅଭିଜ୍ଞ ବ୍ୟାଟ୍ସମ୍ୟାନ ଆଝାର ଅଲି ଟେଷ୍ଟ ଦଳର ନେତୃତ୍ୱ ନେବେ। ସେ ପ୍ରଥମ ଥର ଅଧିନାୟକ ଭାବେ ଅଷ୍ଟ୍ରେଲିଆରେ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଖେଳିବେ। ସେହିଭଳି ଟି୨୦ ଫର୍ମାଟରେ ଉଦୀୟମାନ ତାରକ ବ୍ୟାଟ୍ସମ୍ୟାନ ବାବର ଆଜାମ ଅଧିନାୟକ ହେବେ। ଟି୨୦ ବିଶ୍ୱକପ୍‌କୁ ପ୍ରାୟ ଏକ ବର୍ଷ ଥିବାବେଳେ ନେତୃତ୍ୱରେ ପରିବର୍ତ୍ତନ ହେବା ଫଳରେ ବାବରଙ୍କୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିବ। ୨୦୧୭ଠାରୁ ସର୍ଫରାଜ ସମସ୍ତ ଫର୍ମାଟରେ ପାକିସ୍ତାନ ଦଳର ଅଧିନାୟକ ଥିଲେ। ତାଙ୍କ ନେତୃତ୍ୱରେ ଦଳ ୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା। ଟି୨୦ ର଼୍ୟାଙ୍କିଙ୍ଗ୍‌ରେ ଦଳ ଶୀର୍ଷ ସ୍ଥାନ ମଧ୍ୟ ଅଧିକାର କରିଥିଲା। କିନ୍ତୁ ସର୍ଫରାଜଙ୍କ ନେତୃତ୍ୱରେ ଉଭୟ ଟେଷ୍ଟ ଓ ଟି୨୦ ର଼୍ୟାଙ୍କିଙ୍ଗ୍‌ ତାଲିକାରେ ପାକସ୍ତାନ ତଳକୁ ଖସିଥିଲା।

Share