ଦଶମ ବୋର୍ଡ: ପ୍ରତି ବିଷୟରେ ୮୦ ମାର୍କର ହେବ ପରୀକ୍ଷା

ଭୁବନେଶ୍ୱର,୩।୧(ବ୍ୟୁରୋ): ମହାମାରୀ କରୋନା ଯୋଗୁ ଗତ ବର୍ଷ ମାର୍ଚ୍ଚରୁ ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ରହିଥିଲା। ଏବେ ପରିସ୍ଥିତି ନିୟନ୍ତ୍ରଣକୁ ଆସିବା ପରେ ରାଜ୍ୟ ସରକାର ସ୍କୁଲଗୁଡ଼ିକୁ ଖୋଲିବାକୁ ନିଷ୍ପତ୍ତି ନେବା ସହ ବୋର୍ଡ ପରୀକ୍ଷା ନେଇ ତାରିଖ ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରବିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପ୍ରତିକ୍ରିୟା ରଖି ପରୀକ୍ଷାର୍ଥୀ କେତେ ମାର୍କର ପରୀକ୍ଷା ଦେବେ ତାହା ସ୍ପଷ୍ଟ କରିଛନ୍ତି।

ମାଟ୍ରିକ ପରୀକ୍ଷାର ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ। ସେଥିରେ ୫୦ ମାର୍କର ଓଏମ୍‌ଆର୍‌ ଅବ୍‌ଜେକ୍ଟିଭ୍‌ ଏବଂ ୩୦ ମାର୍କର ସବ୍‌ଜେକ୍ଟିଭ୍‌ ପ୍ରଶ୍ନ ରହିବ। ହେଲେ ରେଜଲ୍ଟ ବେଳେ ୧୦୦ ମାର୍କରୁ ମୂଲ୍ୟାୟନ କରାଯିବ। ୮୦ ମାର୍କରୁ ପରୀକ୍ଷାର୍ଥୀ ପାଇଥିବା ନଂ ଅବଶିଷ୍ଟ ୨୦ରୁ ହିସାବ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ତେବେ ଆସନ୍ତା ୮ରେ ସ୍କୁଲ ଖୋଲିବ। ମେ’ ୩ରୁ ଦଶମ ବୋର୍ଡ ପରୀକ୍ଷା ଆରମ୍ଭ ହୋଇ ୧୫ରେ ସରିବ। ଏହାଛଡ଼ା ମେ’ ୧୫ରୁ ଜୁନ୍‌ ୧୧ ପର୍ଯ୍ୟନ୍ତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ହେବ। ୧୦୦ ଦିନରେ ପିଲାମାନେ ସମସ୍ତ ବିଷୟ ପାଇଁ ପ୍ରସ୍ତୁତ ହୋଇ ପରୀକ୍ଷା ଦେବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି।

Share