ନଭେମ୍ବର ୨୩ରୁ ଦଶମ ଏସ୍‌ଏ-୧ ପରୀକ୍ଷା

କଟକ ଅଫିସ, ୧୨।୧୦ : ଆସନ୍ତା ନଭେମ୍ବର ୨୩ରୁ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଥମ ସମ୍ମେଟିଭ୍‌ ଆସେସ୍‌ମେଣ୍ଟ(ଏସ୍‌ଏ-୧) ପରୀକ୍ଷା ଆରମ୍ଭ ହେବ। ଏହା ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ବୋର୍ଡ ପକ୍ଷରୁ ପରୀକ୍ଷା ପଦ୍ଧତିରେ କିଛିଟା ପରିବର୍ତ୍ତନ କରାଯାଇଛି। ଏସ୍‌ଏ-୧ରେ ମୋଟ ପାଠ୍ୟକ୍ରମର ୫୦ ପ୍ରତିଶତ ବିଷୟରୁ ପ୍ରଶ୍ନ ଆସିବ। ଏସ୍‌ଏ-୧ରେ ଯେଉଁ ସବୁ ବିଷୟରୁ ପ୍ରଶ୍ନ ଆସିବ, ଏସ୍‌ଏ-୨ରେ ଆଉ ସେ ବିଷୟରୁ ପ୍ରଶ୍ନ ଆସିବ ନାହିଁ। ପୂର୍ବବର୍ଷ ଭଳି ୩ଟି ମୂଲ୍ୟାୟନ ପଦ୍ଧତି ବଦଳରେ ଚଳିତବର୍ଷ ଗୋଟିଏ ପଦ୍ଧତି ମୂଲ୍ୟାୟନ କରାଯାଇ ଫଳ ପ୍ରକାଶ କରାଯିବ। ପ୍ରତି ବିଷୟର ମୋଟ ୮୦ ନମ୍ବର ପରୀକ୍ଷାରେ ୫୦ ନମ୍ବର ଅବ୍‌ଜେକ୍ଟିଭ୍‌ (ଏମ୍‌ସିକ୍ୟୁ) ଓ ଅବଶିଷ୍ଟ ୩୦ ନମ୍ବର ସବ୍‌ଜେକ୍ଟିଭ୍‌ (ଦୀର୍ଘ ଉତ୍ତରମୂଳକ) ପ୍ରଶ୍ନ ଆସିବ। ଏଥିପାଇଁ ଛାତ୍ରୀଛାତ୍ରଙ୍କୁ ୨ ଘଣ୍ଟା ସମୟ ମିଳିବ। ଏହି ପରୀକ୍ଷା ଖାତାର ମୂଲ୍ୟାୟନ ବୋର୍ଡ ନିର୍ଦ୍ଧାରିତ ମୂଲ୍ୟାୟନ କେନ୍ଦ୍ରରେ କରାଯିବ।