Categories: ଜାତୀୟ

ଦେଶର ପୋଲିସ ଫୋର୍ସରେ ୧୧.୭୫% ମହିଳା

ନୂଆଦିଲ୍ଲୀ,୬ା୧୨(ପି.ଟି.):ଦେଶର ପୋଲିସ୍‌ ଫୋର୍ସରେ ମହିଳା କର୍ମଚାରୀଙ୍କ ସଂଖ୍ୟା ୩୩ ପ୍ରତିଶତକୁ ବୃଦ୍ଧି କରିବା ପାଇଁ କେନ୍ଦ୍ର ସରକାରଙ୍କ କ୍ରମାଗତ ଉଦ୍ୟମ ସତ୍ତ୍ୱେ ଏବେ ମାତ୍ର ୧୧.୭୫ ପ୍ରତିଶତ ମହିଳା ପୋଲିସ ରହିଛନ୍ତି। କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକ ସଭାରେ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି। ମହିଳା ପୋଲିସ ସଂଖ୍ୟା ୩୩ ପ୍ରତିଶତକୁ ବଢ଼ାଇବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୨୦୧୪ ମେ’ ୨୧, ୨୦୧୫ ମେ’ ୧୨, ୨୦୨୧ ଜୁନ୍‌ ୨୨ ଏବଂ ୨୦୨୨ ଏପ୍ରିଲ ୧୩ରେ ସମସ୍ତ ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନକୁ ପତ୍ର ଲେଖିଥିଲା। ଅତିରିକ୍ତ ମହିଳ କନ୍‌ଷ୍ଟେବଲ, ସବ୍‌ଇନ୍ସପେକ୍ଟର ପଦବୀ ସୃଷ୍ଟି କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୁହାଯାଇଥିଲା। ପ୍ରତି ଥାନାରେ ଅନୂ୍ୟନ ୩ ମହିଳା ସବ୍‌ଇନ୍ସପେକ୍ଟର ଏବଂ ୧୦ ମହିଳା କନଷ୍ଟେବଲ ରହିଲେ ୨୪ ଘଣ୍ଟା ମହିଳା ହେଲ୍ପ ଡେସ୍କ ପରିଚାଳନା ହୋଇପାରିବ ବୋଲି ଲକ୍ଷ୍ୟ ରଖାଯାଇଥିଲା। ୨୦୨୦ରେ ମହିଳା ପୋଲିସ ସଂଖ୍ୟା ୧୦.୩୦% ଥିବାବେଳେ ୨୦୨୧ରେ ୧୦.୪୯%କୁ ବଢ଼ିଥିଲା। ୨୦୨୨ରେ ଏହା ୧୧.୭୫ ପ୍ରତିଶତକୁ ବଢ଼ିଥିବା ରାୟ ଏକ ଲୋକ ସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଛନ୍ତି।

Share