୪୦ ଡିଗ୍ରୀ ଉପରେ ୧୧ ସହର

ଭୁବନେଶ୍ୱର, ୧୧।୪(ବ୍ୟୁରୋ): ସାରା ରାଜ୍ୟରେ ପ୍ରବଳ ଖରା ତାତି ଜାରି ରହିଛି। ଉପକୂଳଠାରୁ ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସହ୍ୟ ହୋଇଛି। ଗରମରେ ଲୋକେ ଆଉଟୁପାଉଟୁ ହେଉଛନ୍ତି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ରବିବାର ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ୪୨.୩ ଡିଗ୍ରୀ ସହ ସୋନପୁର ସବୁଠାରୁ ଉତ୍ତପ୍ତ ସହର ଥିଲା। ବଲାଙ୍ଗୀରରେ ୪୨.୨, ଟିଟିଲାଗଡ଼ ୪୨, ବାରିପଦା ୪୨, ଝାରସୁଗୁଡ଼ା ୪୧.୮, ସମ୍ବଲପୁର ୪୧.୭, ବୌଦ୍ଧ ୪୧.୫, ଅନୁଗୋଳ ୪୦.୯, ସୁନ୍ଦରଗଡ଼ ୪୦, ହୀରାକୁଦ ୪୦.୧ ଏବଂ ଭବାନୀପାଟଣାରେ ୪୦.୮ ଡିଗ୍ରୀ ସେଲ୍‌ସିୟସ ତାପମାତ୍ରା ରହିଥିଲା। ସେହିଭଳି ବାଲେଶ୍ୱରରେ ୩୯.୧, ଚାନ୍ଦବାଲି ୩୮, କଟକ ୩୬.୨, ଭୁବନେଶ୍ୱର ୩୭.୪, କେନ୍ଦୁଝର ୩୯, ନୟାଗଡ଼ ୩୮, ଯାଜପୁର ୩୮, ଛତ୍ରପୁର ୩୯ ଓ ମାଲକାନଗିରିରେ ତାପମାତ୍ରା ୩୯.୫ ଡିଗ୍ରୀ ରହିଥିଲା। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଦିନ ତାପମାତ୍ରାରେ ସେଭଳି କୌଣସି ବଡ଼ ପରିବର୍ତ୍ତନ ହେବ ନାହିଁ। ଆଭ୍ୟନ୍ତରୀଣ ଓଡ଼ିଶାରେ ୨ରୁ ୩ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଥିବା ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ସେପଟେ ଆସନ୍ତା ୫ଦିନ ପର୍ଯ୍ୟନ୍ତ ସ୍ବଳ୍ପ ଧରଣର ବର୍ଷା ସହିତ ବଜ୍ରପାତ ହେବା ନେଇ ଭୁବନେଶ୍ୱରସ୍ଥିତ ପାଣିପାଗ ବିଜ୍ଞାନ କେନ୍ଦ୍ରପକ୍ଷରୁ ସୂଚନା ଦିଆଯାଇଛି।

Share