୧୦ ଡିଗ୍ରୀ ତଳେ ୧୧ ସହର: ଫୁଲବାଣୀରେ ସର୍ବନିମ୍ନ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ସାରା ରାଜ୍ୟରେ ଶୀତ ପ୍ରକୋପ ଜାରି ରହିଛି। ଥଣ୍ଡାରେ ଥରୁଛି ସାରା ରାଜ୍ୟ। ପାରଦ ଉପରମୁହାଁ ହେବାର ନାଁ ଧରୁନି। ରବିବାର ରାଜ୍ୟର ୧୧ ସହର ୧୦ ଡିଗ୍ରୀ ତଳକୁ ଖସି ଆସିଥିବାବେଳେ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି। ଫୁଲବାଣୀଠାରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୫.୩ ଡିଗ୍ରୀ ରହିଥିବା ବେଳେ ମାଲକାନଗିରିରେ ସର୍ବାଧିକ ତାତି ୩୧ ଡିଗ୍ରୀ ରହିଥିଲା। ସେହିଭଳି ଦାରିଙ୍ଗବାଡ଼ି ୭, ଝାରସୁଗୁଡ଼ା ୮.୨, ବାରିପଦା ୮.୫, କୋରାପୁଟ ୯, ସୁନ୍ଦରଗଡ଼ ୯, ତାଳଚେର ୯.୩, କେନ୍ଦୁଝର ୯.୪, ସୋନପୁର ୯.୬, ଭବାନୀପାଟଣା ୯.୬ ଓ ବଲାଙ୍ଗୀରର ତାପମାତ୍ରା ୯.୮ ଡିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ତାପମାତ୍ରା ୧୨.୨ ଡିଗ୍ରୀ ରହିଥିବା ବେଳେ ପାରାଦୀପରେ ୧୩.୯ ଡିଗ୍ରୀ ରେକର୍ଡ କରାଯାଇଛି।

ସେପଟେ ଆଗାମୀ ୩ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ। ରାତ୍ରିରେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି। ସୋମବାର ସକାଳୁ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ୨୪ ଘଣ୍ଟା ମଧ୍ୟରେ ନୟାଗଡ଼, କୋରାପୁଟ, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, କଟକ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ବର, ଯାଜପୁର, ଢେଙ୍କାନାଳ, ସୁନ୍ଦରଗଡ଼, ବୌଦ୍ଧ ଓ ଅନୁଗୋଳ ଜିଲାରେ ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣ କୁହୁଡ଼ି ହେବ। ମଙ୍ଗଳବାଠାରୁ ବୁଧବାର ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଉତ୍ତର ଉପକୂଳ ଅଞ୍ଚଳ ସମେତ ଖୋର୍ଦ୍ଧା, ନୟାଗଡ଼, ପୁରୀ, ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, କଳାହାଣ୍ଡି, ସୋନପୁର ଓ ବୌଦ୍ଧ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ରହିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

Share