ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଆସନ୍ତା ଅକ୍ଟୋବର ପହିଲାରେ ନୂଆଦିଲ୍ଲୀସ୍ଥିତ ତାଲ୍କାତୋରା ଷ୍ଟାଡିୟମ୍ଠାରେ ସ୍ବଚ୍ଛ ସର୍ବେକ୍ଷଣ- ୨୦୨୨ ପୁରସ୍କାର ଉତ୍ସବ ଅନୁଷ୍ଠିତ ହେବ। ଏହି ସର୍ବେକ୍ଷଣରେ ରାଜ୍ୟର ୧୧ଟି ସହର ପୁରସ୍କୃତ ହେବେ। ସେହି ସହରଗୁଡ଼ିକ ହେଲା, ବ୍ରହ୍ମପୁର, ଭୁବନେଶ୍ୱର, ବରଗଡ଼, ବାସୁଦେବପୁର, ପାରାଦୀପ, ପୁରୀ, ବେଲଗୁଣ୍ଠା, ବିଜେପୁର, ବିନିକା, ଚିକିଟି ଓ ଜୁନାଗଡ଼। ଉତ୍ସବରେ ଯୋଗଦେବା ପାଇଁ ରାଜ୍ୟ ମିଶନ ଡାଇରେକ୍ଟର ସ୍ବଚ୍ଛ ଭାରତ ମିଶନ (ସହରାଞ୍ଚଳ) କଲ୍ୟାଣ ରଥ ସମ୍ପୃକ୍ତ ଜିଲାର ଜିଲାପାଳ, ମହାନଗର ନିଗମ କମିଶନର ଏବଂ ପୌର ସଂସ୍ଥାଗୁଡ଼ିକର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମଙ୍ଗଳବାର ଚିଠି ଲେଖି ଜଣାଇଛନ୍ତି। ପ୍ରତ୍ୟେକ ସହରରୁ ୪ଜଣ ଲେଖାଏ ପ୍ରତିନିଧି ଉତ୍ସବରେ ଯୋଗଦେବା ପାଇଁ କୁହାଯାଇଛି। ସେହିପରି ଇଣ୍ଡିଆନ ସ୍ବଚ୍ଛତା ଲିଗ୍ରେ ୩ ଲକ୍ଷରୁ ୧୦ ଲକ୍ଷ ସହର କଟକ ମହାନଗର ନିଗମ ଏବଂ ୧୫ ହଜାରରୁ ୨୫ ହଜାର ଲୋକସଂଖ୍ୟା ବିଶିଷ୍ଟ ସହର ପିପିଲି ମଧ୍ୟ ପୁରସ୍କୃତ ହେବ।