Categories: ଜାତୀୟ

୧୧ କୋଟି ଭୋଟର ପ୍ରତିନିଧି ବାଛିବେ

ନୂଆଦିଲ୍ଲୀ,୨୫ା୫: ଅଷ୍ଟାଦଶ ଲୋକ ସଭାର ୫୪୩ ଆସନ ପାଇଁ ନିର୍ବାଚନ ସରିବାକୁ ବସିଲାଣି। ୨୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଅଧୀନ ୪୨୮ ଲୋକ ସଭା ଆସନରେ ପ୍ରଥମ ୫ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଥିବାବେଳେ ଶନିବାର ଷଷ୍ଠ ପର୍ଯ୍ୟାୟରେ ୫୮ ସଂସଦୀୟ କ୍ଷେତ୍ରରେ ଭୋଟ ଗ୍ରହଣ କରାଯିବ। ଅବଶିଷ୍ଟ ୫୭ ଆସନ ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ ଜୁନ୍‌ ୧ରେ ହେବ। ସମସ୍ତ ୭ଟିଯାକ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି ଆସନ୍ତା ୪ରେ କରାଯିବ।
ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୮ ଆସନରେ ଶନିବାର ନିର୍ବାଚନ ହେବ। ଏଥିସହ ଦେଶର ୪୮୬ ଆସନରେ ଭୋଟ ଗ୍ରହଣ ସମ୍ପୂର୍ଣ୍ଣ ହେବ। ଷଷ୍ଠ ପର୍ଯ୍ୟାୟରେ ଉତ୍ତର ପ୍ରଦେଶର ୧୪, ହରିୟାଣା, ୧୦, ବିହାର ୮, ପଶ୍ଚିମବଙ୍ଗ ୮, ଦିଲ୍ଲୀ ୭, ଓଡ଼ିଶା ୬, ଝାଡ଼ଖଣ୍ଡ ୪ ଓ ଜମ୍ମୁ-କଶ୍ମୀରର ଅନନ୍ତନାଗ-ରାଜୌରି ଆସନ ରହିଛି। ୧୧.୧୩ କୋଟି ମତଦାତା ସେମାନଙ୍କ ରାଜନୈତିକ ମତାଧିକାର ସାବ୍ୟସ୍ତ କରି ନିଜ ପ୍ରତିନିଧି ବାଛିବେ। ଏଥିସହ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ(ଇଭିଏମ୍‌)ରେ ଆଉ ୮୮୯ ପ୍ରାର୍ଥୀଙ୍କ ଭବିଷ୍ୟତ ସିଲ୍‌ ହୋଇଯିବ। ମତଦାତାଙ୍କ ମଧ୍ୟରୁ ୫.୮୪ କୋଟି ପୁରୁଷ, ୫.୨୯ କୋଟି ମହିଳା ଏବଂ ୫,୧୨୦ ଜଣ ହେଉଛନ୍ତି ତୃତୀୟ ଲିଙ୍ଗୀ। ନିର୍ବାଚନ କମିଶନ ଦିଲ୍ଲୀ, ଗୁରୁଗ୍ରାମ ଓ ଫରିଦାବାଦର ସହରୀ ଭୋଟରଙ୍କୁ ଘରୁ ବାହାରି ମତଦାନ କରିବାକୁ ପରାମର୍ଶ ଦେଇଛନ୍ତି।
ସାଧାରଣ ନିର୍ବାଚନ ବେଳେ ଏହି ୫୮ ଆସନ ମଧ୍ୟରୁ ଏନ୍‌ଡିଏ ୪୫ଟିରେ ବିଜୟୀ ହୋଇଥିଲା, ଯହିଁରୁ କେବଳ ଭାଜପାକୁ ୪୦ରେ ସଫଳତା ମିଳିଥିଲା। କଂଗ୍ରେସ ଗୋଟିଏ ବି ଆସନ ଦଖଲ କରିପାରି ନ ଥିଲା। ବର୍ତ୍ତମାନ ଇଣ୍ଡିଆ ବ୍ଲକ୍‌ରେ ଥିବା ତୃଣମୂଳ କଂଗ୍ରେସ (ଟିଏମ୍‌ସି), ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି), ସମାଜବାଦୀ ପାର୍ଟି (ଏସ୍‌ପି) ଏବଂ ମେଣ୍ଟ ବାହାରେ ଥିବା ବିଜୁ ଜନତା ଦଳ (ବିଜେଡି) ଏବଂ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ପ୍ରାର୍ଥୀ ଜିତିଥିଲେ। ଭୋଟ ହାରକୁ ଦେଖିଲେ ଏନ୍‌ଡିଏକୁ ୫୧.୩୬% ଏବଂ ଇଣ୍ଡିଆ ଦଳଗୁଡ଼ିକ୨୮.୬୬% ସମର୍ଥନ ପାଇଥିଲେ। ୨୦୧୪ରେ ଏହି ଆସନଗୁଡ଼ିକ ମଧ୍ୟରୁ ୩୯ଟିରେ ଏନ୍‌ଡିଏ ଏବଂ ୧୧ ସିଟ୍‌ରେ ଇଣ୍ଡିଆ ବ୍ଲକ୍‌ ଦଳଗୁଡ଼ିକୁ ସଫଳତା ମିଳିଥିବାବେଳେ ଅନ୍ୟ ଦଳର ପ୍ରାର୍ଥୀ ୮ ଆସନ ଦଖଲ କରିଥିଲେ।

Share