ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ: ଛାତ୍ର-ଶିକ୍ଷକଙ୍କ ସମେତ ୧୧ମୃତ

ଢାକା,୩୦।୭: ବାଂଲାଦେଶରୁ ଏକ ଭୟଙ୍କର ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏଠାରେ ଉଚ୍ଚଶିକ୍ଷା ଏବଂ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଏକ ଦଳ ସେମାନଙ୍କ ଶିକ୍ଷକମାନଙ୍କ ସହିତ ଟୁର୍‌ରେ ଯାଇଥିଲେ। ସେଠାରୁ ଫେରୁଥିବା ବେଳେ ଟ୍ରେନ୍‌ ସହ ମାଇକ୍ରୋବସ୍‌ର ଧକ୍କା ହୋଇଛି। ଯେଉଁଥିରେ ୪ଜଣ ଶିକ୍ଷକଙ୍କ ସମେତ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ବାକି ୭ଜଣ ଗୁରୁତର ଥିବା ବେଳେ ଜୀବନ ସହ ସଂଗ୍ରାମ କରୁଥିବା ଜଣାପଡ଼ିଛି। ଏହି ଘଟଣା ଚଟୋଗ୍ରାମର ମିରସରାୟ ଉପ-ଜିଲାରେ ଘଟିଛି। ସୂଚନା ମୁତାବକ, ଦୁର୍ଘଟଣା ଘଟିବା ସମୟରେ ରେଲଓ୍ବେ କ୍ରସିଂର ଫାଟକ ଖୋଲାଥିଲା। ଏଥିଯୋଗୁ ବସ୍‌ ଚାଳକ ରାସ୍ତା ପାର କରିଥିଲେ। ହେଲେ ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଟ୍ରେନ୍‌ ସେହି ମାଇକ୍ରୋବସ୍‌କୁ ଧକ୍କା ଦେଇଥିଲା। ଏହି ଘଟଣାରେ ମାଇକ୍ରୋବସ୍‌ ଟ୍ରେନ୍‌ର ଇଞ୍ଜିନ ସହିତ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଟାଣି ହୋଇଯାଇଥିଲା। ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ୪୫ରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରାଯାଇଛି। ମୃତବ୍ୟକ୍ତି ହେଲେ ହାଥଜରୀ ଉପଜା ଅମନ ବଜାର ଅଞ୍ଚଳରେ ଥିବା କୋଚିଂ ସେଣ୍ଟରର ଛାତ୍ର ଏବଂ ଶିକ୍ଷକ। ସେମାନେ ସମସ୍ତେ ଓ୍ବାଟରଫଲ୍‌ ଦେଖିବାକୁ ଯାଇଥିଲେ ବୋଲି ସୂଚନା ମିଳିଛି। ଅନ୍ୟପଟେ ରେଳ ବିଭାଗର ଅଧିକାରୀମାନେ ଏହି ଘଟଣାର ଯାଞ୍ଚ ପାଇଁ ରେଳ ବିଭାଗର ବିଭାଗୀୟ ପରିବହନ ଅଧିକାରୀ ଅନ୍‌ସାର ଅଲ୍ଲୀଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସଦସ୍ୟ କମିଟି ଗଠନ କରିଛନ୍ତି। ରେଲଓ୍ବେର ଜେନେରାଲ ମ୍ୟାନେଜର ଜାହାଙ୍ଗୀର ହୁସେନ ଏହି ଘଟଣାର ଯାଞ୍ଚ କରି କମିଟିକୁ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Share