ଯୋଧପୁର, ୧୦।୮: ରାଜସ୍ଥାନର ଯୋଧପୁରର ଦେଚୁ ଅଞ୍ଚଳର ଲୋଡ଼ତା ଗାଁ ଘଟିଥିବା ୧୧ ଜଣ ପାକିସ୍ତାନୀ ଶରଣାର୍ଥୀଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ୍ ହୋଇଛି। ଘରର ୨୫ ବର୍ଷ ବୟସ୍କା ଝିଅ ପ୍ରିୟା ଓରଫ ପ୍ୟାରୀ ପାରିବାରିକ କଳହ କାରଣରୁ ସେମାନଙ୍କୁ ପ୍ରଥମେ ନିଦ ଔଷଧ ଦେଇ ପରେ ବିଷ ଇଞ୍ଜେକଶନ୍ ଦେଇ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ସେ ପାକିସ୍ତାନରେ ନର୍ସିଂ ପାଠ୍ୟକ୍ରମ ପାସ କରିଥିଲେ। ପରିବାର ଅନ୍ୟ ଜଣେ ସଦସ୍ୟ ରାତିରେ ଚାଷ ଜମି ଜଗିବାକୁ ଯାଇଥିବାରୁ ସେ ରକ୍ଷା ପାଇଯାଇଥିବା ପୋଲିସ କହିଛି। ପୂର୍ବରୁ ପରିବାରର ଅନ୍ୟ ଜଣେ ଝିଅ ଲକ୍ଷ୍ମୀ ଏପରି କରିଥିବା ସନ୍ଦେହ କରାଯାଉଥିଲା। ଲକ୍ଷ୍ମୀ ମଧ୍ୟ ନର୍ସିଂ ପାସ୍ କରିଥିବା ପୋଲିସ କହିଛି। ମୃତ ଦେହ ପାଖରୁ ବିଷ ବୋତଲ ଏବଂ ଇଞ୍ଜେକଶନ୍ ମିଳିଥିବା ଏସ୍ପି ରାହୁଲ ବାରହଟ୍ ସୂଚନା ଦେଇଛନ୍ତି।