ଘର ଉପରେ ୧୧ କେଭି ବିଦ୍ୟୁତ୍‌ ତାର

ନାଉଗାଁ,୩ା୩(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ନାଉଗାଁ ଗ୍ରାମର ମଲିକ ସାହି ଦେଇ ୧୧ କେଭି ବିଦ୍ୟୁତ୍‌ ତାର ଯାଇଛି। ଏହି ତାର ଗ୍ରାମର ୧୧ରୁ ଊର୍ଦ୍ଧ୍ୱ ପରିବାରଙ୍କ ବାସଗୃହ ଉପରେ ଯାଇଥିବା ବେଳେ ଆଉ କେତେଜଣଙ୍କ ଘରର ପଛ ପାର୍ଶ୍ୱରେ ଯାଇଛି। ଏନେଇ ସମ୍ପୃକ୍ତ ପରିବାରଗୁଡ଼ିକ ଭୟରେ ଦିନ କାଟୁଛନ୍ତି। ଏହି ତାର ବିପଦସଙ୍କୁଳ ଅବସ୍ଥାରେ ଏତେ ତଳେ ଯାଇଥିବାରୁ ଅନେକ ପରିବାର ଚାଳଛପର କରିପାରୁ ନଥିବା ଅଭିଯୋଗ କରିଛନ୍ତି। ଏପରିକି ଘରର ଛାତ ଉପରକୁ ଯିବାକୁ ମଧ୍ୟ ଭୟ ଲାଗୁଛି। ଦୁର୍ଘଟଣା ଆଶଙ୍କାରେ ସେମାନେ ପିଲାଙ୍କୁ ଛାତ ଉପରକୁ ଛାଡ଼ିବାକୁ ଡରୁଛନ୍ତି।
ସେହିପରି ଘରର ପଛ ପାର୍ଶ୍ୱରେ ତାର ଝୁଲି ରହିଥିବାରୁ କିଛି ଲୋକେ ପନିପରିବା ଫସଲ ମଧ୍ୟ କରିପାରୁ ନ ଥିବା କହିଛନ୍ତି। ବର୍ଷା ହେଲେ ସେମାନଙ୍କ ଚିନ୍ତା ବଢ଼ିଯାଉଛି। କୌଣସି କାରଣବଶତଃ ତାର ଘର ଉପରେ ଛିଣ୍ଡିପଡିଲେ ଧନଜୀବନ ହାନି ହେବାର ଆଶଙ୍କାକୁ ଏଡ଼ାଇ ଦେଇ ହେବନି ବୋଲି ସମ୍ପୃକ୍ତ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅପରପକ୍ଷେ ଆଲୁମିନିୟମ ତାର ବଦଳରେ କେବୁଲ ତାର ପକାଇବାର ନିୟମ ରହିଥିଲେ ହେଁ ଏପର୍ଯ୍ୟନ୍ତ ତାହା କରାଯାଉ ନାହିଁ। କେତେକ ଖୁଣ୍ଟ ଦୀର୍ଘ ଦିନ ହେବ ଭାଙ୍ଗିଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନାହିଁ।
ତାର ଓ ଭଙ୍ଗା ଖୁଣ୍ଟକୁ ପରିବର୍ତ୍ତନ କରି ନୂତନ ବିଦ୍ୟୁତ୍‌ ଖୁଣ୍ଟ ପକାଇବା ପାଇଁ ବାରମ୍ବାର ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମର ବୁଲୁ ମଲିକ, ଟୁଲୁ ମଲିକ, ଆର୍ତ୍ତବନ୍ଧୁ ମଲିକ ଓ ରବି ମଲିକ ପ୍ରମୁଖ କହିଛନ୍ତି। ତୁରନ୍ତ ଏନେଇ ପଦକ୍ଷେପ ନେବାକୁ ସେମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଏ ସମ୍ପର୍କରେ ଟାଟା ପାଓାରର ଲିଡ୍‌ ମ୍ୟାନେଜର ଦୀପକ ଭୂଇଁ କହିଛନ୍ତି, ଏ ବିଷୟରେ ଆମେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛୁ। ଏହି ତାର ସ୍ଥାନାନ୍ତର ପାଇଁ ଅର୍ଥ ଆସିଲେ ତାହା କରାଯିବ ବୋଲି ସେ କହିଛନ୍ତି।

Share