ମରାମତି ବେଳେ ଚାର୍ଜ ହେଲା ୧୧ କେଭି, ପୋଡ଼ିଗଲେ କର୍ମଚାରୀ

ବଡ଼ବିଲ,୨୫ା୬(ସ୍ବ.ପ୍ର.): ଟାଟା ପାଓ୍ବରର ଖାମଖିଆଲି କାର୍ଯ୍ୟ ଯୋଗୁ କେନ୍ଦୁଝର ଜିଲା ବଡ଼ବିଲରେ କାର୍ଯ୍ୟରତ ଜଣେ କର୍ମଚାରୀ ବିଦ୍ୟୁତ୍‌ ଆଘାତରେ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଭବାନୀ ଶଙ୍କର ମହାନ୍ତ। ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ମୁଖରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ହେଁ ତାଙ୍କ ଶରୀରର କିଛି ଅଂଶ ପୋଡ଼ିଯାଇଛି। ତେବେ ସେ ଏବେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ବଡ଼ବିଲ ଦଲକି ବସ୍ତି ନିକଟରେ ୧୧ କେଭି ବିଦ୍ୟୁତ୍‌ତାର ମରାମତି ଚାଲୁଥିଲା। ଟିପିଏନ୍‌ ଓଡିଏଲ କମ୍ପାନୀର ଠିକା କର୍ମଚାରୀ ଭବାନୀ ଖୁଣ୍ଟରେ ଚଢ଼ି ଏକ ଜମ୍ପର ଖୋଲୁଥିଲାବେଳେ ହଠାତ ବିଦ୍ୟୁତ୍‌ ଚାର୍ଜ କରି ଦିଆଯାଇଥିଲା। ଫଳରେ ଭବାନୀ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିବା ସହ ଖୁଣ୍ଟ ଉପରୁ ୧୨ ଫୁଟ ତଳକୁ ଖସିପଡ଼ିଥିଲେ। ମୃତ୍ୟୁମୁଖରୁ ସେ ବର୍ତ୍ତି ଯାଇଥିଲେ ହେଁ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ତୁରନ୍ତ ତାଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ତେବେ ବିଭାଗର କେଉଁ ଅଧିକାରୀ ଇଙ୍ଗିତରେ କାର୍ଯ୍ୟ ଚାଲିଥିଲାବେଳେ ବିଦ୍ୟୁତ୍‌ ଚାର୍ଜ କରାଗଲା ସେ ନେଇ ଉଚ୍ଚସ୍ତରୀୟ ତଦନ୍ତ କରି ଖାମଖିଆଲି ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି।

Share