Categories: ଜାତୀୟ

ମହିଳାଙ୍କୁ ‘ଡିଜିଟାଲି ଗିରଫ’ କରାଇ ୧୧ ଲକ୍ଷ ଠକିନେଲେ

ନୋଏଡ଼ା,୩।୧୨: ନୋଏଡ଼ାରେ ଏକ ନୂଆ ସାଇବର ଠକେଇ ଦେଖିବାକୁ ମିଳିଛି। ସେଠାରେ ରହୁଥିବା ଜଣେ ମହିଳାଙ୍କୁ ଗୋଟିଏ ଦିନ ଡିଜିଟାଲ ଗିରଫ ରଖାଯାଇ ତାଙ୍କଠାରୁ ୧୧ ଲକ୍ଷରୁ ଅଧିକ ଟଙ୍କା ଠକିନିଆଯାଇଛି। ଅଭିଯୋଗ ପରେ ଉତ୍ତରପ୍ରଦେଶ ପୋଲିସ ତଦନ୍ତ ଆରମ୍ଭ କରିଛି। ଠକମାନେ ନିଜକୁ ପୋଲିସ ଅଧିକାରୀର ପରିଚୟ ଦେଇଥିଲେ। ସମ୍ପୃକ୍ତ ମହିଳାଙ୍କ ଆଧାର ନମ୍ବରକୁ ବ୍ୟବହାର କରି ମୁମ୍ବାଇରେ କିଣାଯାଇଥିବା ସିମ୍‌ କାର୍ଡକୁ ବେଆଇନ ବିଜ୍ଞାପନ ଏବଂ ମହିଳାମାନଙ୍କୁ ହଇରାଣ କରାଯାଉଥିବା ଗତ ୧୩ ତାରିଖରେ ଆଇଭିଆର୍‌ ଯୋଗେ କଲ୍‌ କରି କହିଥିଲେ। ପରେ ଉକ୍ତ କଲ୍‌କୁ ମୁମ୍ବାଇ ପୋଲିସ ଅଫିସର ପରିଚୟ ଦେଉଥିବା ଜଣେ ଲୋକ ପାଖକୁ ଟ୍ରାନ୍ସଫର କରାଯାଇଥିଲା। ସେ ମହିଳାଙ୍କୁ ଫୋନ୍‌ ଯୋଗେ ପଚରାଉଚରା କରିବା ପରେ ସ୍କାଏପେ ଭିସିରେ ଜେରା କରିଥିଲେ। ତାଙ୍କ ନାମରେ ମନିଲଣ୍ଡରିଂ ମାମଲା ରୁଜୁ ହେବା ସହ ସୁପ୍ରିମକୋର୍ଟ ଗିରଫ ପରଓ୍ବାନା ଜାରି କରିଥିବା ମହିଳାଙ୍କୁ କୁହାଯାଇଥିଲା। ଏହାର କାଗଜାତ ସ୍କାଏପେ୍‌ରେ ସମ୍ପୃକ୍ତ ଅଫିସର ଜଣକ ପଠାଇଥିଲେ। ପରେ ସିବିଆଇର ଜଣେ ଆଇପିଏସ୍‌ ଅଫିସର ମହିଳାଙ୍କୁ ଅଧିକ ଜେରା କରିବେ ବୋଲି କୁହାଯିବା ସହ ସ୍କାଏପେ ଆଇଡି ଦିଆଯାଇଥିଲା। ଉକ୍ତ ଆଇଡିରେ ଗିରଫ ପରଓ୍ବାନା ହଟାଇବା ପାଇଁ ସିବିଆଇ ଅଫିସରଙ୍କୁ ଅନୁରୋଧ କରିବାକୁ ପରାମର୍ଶ ଦିଆଯାଇଥିଲା। ସିବିଆଇ ଅଫିସର ପରିଚୟ ଦେଉଥିବା ବ୍ୟକ୍ତି ମହିଳାଙ୍କୁ କହିଥିଲେ, ତାଙ୍କ ଆକାଉଣ୍ଟକୁ ବ୍ୟବହାର କରାଯାଇ ୨ କୋଟି ଟଙ୍କା ଟ୍ରାନ୍ସଫର ହୋଇଛି। ଏଥିପାଇଁ ତାଙ୍କୁ ୨୦ ଲକ୍ଷ ଟଙ୍କା ପୈଠ କରିବାକୁ କୁହାଯାଇଥିଲା। ତାଙ୍କୁ ଗୋଟିଏ ଦିନ ଡିଜିଟାଲି ଗିରଫ କରାଯାଇଥିବା କୁହାଯାଇ ୧୧.୧୧ ଲକ୍ଷ ଟଙ୍କା ଠକିନିଆଯାଇଥିବା ମହିଳା ଜଣକ ନିଜ ଅଭିଯୋଗରେ ଦର୍ଶାଇଛନ୍ତି।

Share