୩ଜଣଙ୍କଠାରୁ ୧୧ଲକ୍ଷ ଠକେଇ

ଭୁବନେଶ୍ୱର,୧୭।୭ (ବ୍ୟୁରୋ): ରାଜଧାନୀରେ ପୁଣି ବଡ଼ଧରଣର ସାଇବର ଠକେଇ। ସାଇବର ଅପରାଧୀମାନେ ୩ଜଣଙ୍କଠାରୁ ୧୧ଲକ୍ଷ ଟଙ୍କା ଠକି ନେଇଛନ୍ତି। ଖାରବେଳନଗର ଥାନା ଅଞ୍ଚଳର ଜଣେ ବ୍ୟାଙ୍କ୍‌ ମ୍ୟାନେଜର ୫୦ ହଜାର ଟଙ୍କା ହରାଇଥିବାବେଳେ କ୍ୟାପିଟାଲ ଥାନାଞ୍ଚଳରେ ଜଣେ ସଙ୍ଗୀତଜ୍ଞଙ୍କଠାରୁ ୭ ଲକ୍ଷ ଟଙ୍କା ଲୁଟିନେଇଛନ୍ତି ଠକ। ସେହିପରି ଚନ୍ଦ୍ରଶେଖରପୁର ଥାନାଞ୍ଚଳର ଅନ୍ୟ ଜଣେ ବ୍ୟକ୍ତି ସାଢେ ୩ଲକ୍ଷ ଟଙ୍କା ହରାଇଛନ୍ତି। ଏନେଇ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି।
ଅଭିଯୋଗ ଅନୁଯାୟୀ, ସତ୍ୟନଗର ଷ୍ଟେଟ୍‌ ବ୍ୟାଙ୍କ୍‌ ମ୍ୟାନେଜର ଅଜିତ କୁମାର ଆଚାର୍ଯ୍ୟଙ୍କ ହ୍ବାଟ୍ସଆପ୍‌କୁ ଗତ ୧୦ ତାରିଖରେ ଠକ ଜଣକ ଏକ ମେସଜ୍‌ ପଠାଇଥିଲେ। ୧୨ ତାରିଖରେ ଉକ୍ତ ନମ୍ବରରେ କଲ୍‌ କରି ନିଜକୁ ଏସ୍‌ବିଆଇର ଫୁଲବାଣୀ ରିଜିଓନାଲ ମ୍ୟାନେଜର ବୋଲି ପରିଚୟ ଦେଇ ଶାଳୀଙ୍କ ହାର୍ଟ ସର୍ଜରି ହେବ କହି ୫୦ହଜାର ଟଙ୍କା ମାଗିଥିଲେ। ତାଙ୍କ ହ୍ବାଟ୍ସ ଆପ୍‌ ପ୍ରୋଫାଇଲ୍‌ରେ ଏସ୍‌ବିଆଇର ଫୁଲବାଣୀ ରିଜିଓନାଲ ମ୍ୟାନେଜରଙ୍କ ଫାଟୋ ଦେଖି ବିଶ୍ୱାସ କରି ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌କୁ ଟଙ୍କା ପଠାଇଥିଲେ। ପରବର୍ତ୍ତୀ ସମୟରେ ଠକ ଜଣକ ଆଉ ୨୫ ହଜାର ମାଗିଥିଲେ। ଏଥିରେ ସନ୍ଦେହ କରି ଅଜିତ ଫୁଲବାଣୀ ରିଜିଓନାଲ ମ୍ୟାନେଜରଙ୍କ ଯୋଗାଯୋଗ କରିବା ପରେ ଠକେଇର ଶିକାର ହୋଇଥିବା ଜାଣିଲେ।
ସେହିପରି କ୍ୟାପିଟାଲ ଥାନା ବାପୁଜୀନଗର ପ୍ଲଟ ନଂ-୧୯୫ରେ ରହୁଥିବା ସଂଗୀତଜ୍ଞ ସତ୍ୟ ଶଙ୍କର ନିଜର ଏକ ମୁଜିକ୍‌ ପ୍ଲେୟାର ବିକ୍ରି ପାଇଁ ଓଏଲଏକ୍ସରେ ବିଜ୍ଞାପନ ଦେଇଥିଲେ। ଠକ ଜଣକ ତାଙ୍କୁ ଯୋଗାଯୋଗ କରି ତାଙ୍କ ପେଟିଏମ୍‌ରେ ଟଙ୍କା ପଠାଇବାକୁ କହିଥିଲେ। ସତ୍ୟଙ୍କ ପେଟିଏମ୍‌ ଆକାଉଣ୍ଟ ନ ଥିବାରୁ ଠକ ଜଣକ ତାଙ୍କୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡାଉନ୍‌ ଲୋଡ଼୍‌ କରିବାକୁ କହିଥିଲେ। ସତ୍ୟ ତାହାକୁ ଡାଉନ୍‌ଲୋଡ୍‌ କରିବା ପରେ ହଠାତ୍‌ ଜଣେ ବ୍ୟକ୍ତି ଫୋନ୍‌ କରି ପେଟିଏମ୍‌ କଷ୍ଟମର କେୟାରରୁ କହୁଥିବା ଜଣାଇ କେତେକ ପରାମର୍ଶ ଦେଇଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ଫିକ୍ସଡ୍‌ ଡିପୋଜିଟ୍‌ ଥିବା ୭ଲକ୍ଷ ଟଙ୍କା କଟିଯାଇଥିବା ମେସେଜ ଆସିଥିଲା।
ସେହିପରି ଶୈଳଶ୍ରୀବିହାରରେ ରହୁଥିବା ଜିତେନ୍ଦ୍ର ନାରାୟଣ ଦାଶଙ୍କୁ ସାଇବର ଠକ ଫୋନ୍‌ କରି ପେଟିଏମ୍‌ କଷ୍ଟମର କେୟାରରୁ କହୁଥିବା କହିଥିଲେ। ୨୪ ଘଣ୍ଟା ଭିତରେ ପେଟିଏମ୍‌ ଅକାଉଣ୍ଟ ବନ୍ଦ ହୋଇଯିବ ବୋଲି କହି ତାଙ୍କୁ ୧୦ଟଙ୍କା ପଠାଇବାକୁ କହିଥିଲେ। ଏହାପରେ ତାଙ୍କ ଆକାଉଣ୍ଟରୁ ସାଢେ ୩ଲକ୍ଷ ଟଙ୍କା କଟିଯାଇଥିବା ମେସେଜ ଆସିଥିଲା।

Share