Categories: ଜାତୀୟ

ଓଓ୍ବାସିଙ୍କ ଜିଭ କାଟିଲେ ଦିଆଯିବ ୧୧ ଲକ୍ଷ ପୁରସ୍କାର: ଘୋଷଣା କଲା ହିନ୍ଦୁ ସେନା…

ପ୍ରୟାଗରାଜ,୮।୧ : ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ନେଇ ଦେଶରେ ଉତ୍ସବ ଏବଂ ଖୁସିର ପରିବେଶ ରହିଛି। ଏହି ସମୟରେ, ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଏକ ଉତ୍ତେଜନାକାରୀ ଭାଷଣ ଯୋଗୁୁ ବିବାଦରେ ଛନ୍ଦି ହୋଇ ଯାଇଛନ୍ତି। ରାମ ମନ୍ଦିର ସମ୍ବନ୍ଧରେ ଓୱାଇସିଙ୍କ ଏହି ଭାଷଣ ନେଇ, ହିନ୍ଦୁ ସେନା ପକ୍ଷରୁ କ୍ରମାଗତ ଭାବରେ ପ୍ରତିକ୍ରିୟା ଆସୁଛି। ଯେଉଁଠାରେ ଦିଲ୍ଲୀର ହିନ୍ଦୁ ସେନା ଓୱାଇସିଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଥିଲେ। ଏଥି ସହିତ ଗୁଜରାଟର ହିନ୍ଦୁ ସେନା ଘୋଷଣା କରିଛି ଓୱାଇସିଙ୍କର ଜିଭ କାଟିଲେ ତାଙ୍କୁ ୧୧ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରାଯିବ।

ରାମ ମନ୍ଦିର ସମ୍ବନ୍ଧରେ ଓୱାଇସିଙ୍କ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ନେଇ ଗୁଜରାଟର ହିନ୍ଦୁ ସେନା ସଭାପତି ପ୍ରତୀକ ଭଟ୍ଟ ଏହା ଘୋଷଣା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ରାମ ମନ୍ଦିର ନିର୍ମାଣ ହେଉଛି, ସେତେବେଳେ ଓୱାଇସି କିପରି ସମ୍ବିଧାନକୁ ଉଲ୍ଲଂଘନ କରି ପାରିବେ। ଓୱାଇସି ଏଭଳି ଭାଷଣ ଦେଇ ଦେଶରେ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ଯାହାଫଳରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତାର ବାତାବରଣ ହେବାର ଆଶଙ୍କା ରହିଛି।

ଓୱାଇସି ରାମ ମନ୍ଦିର ବିଷୟରେ ଏକ ବିବାଦୀୟ ଭାଷଣ ଦେଇ ବାବ୍ରି ମସଜିଦକୁ ଶହୀଦ ବୋଲି କହି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସମାଲୋଚନା କରିଥିଲେ। ଓୱାଇସି କହିଥିଲେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ଭୁଲ। କେବଳ ଏତିକି ନୁହେଁ ବାବ୍ରି ମସଜିଦ ମଧ୍ୟ ଛଡ଼ାଇ ନିଆଯାଇଛି ବୋଲି ସେ କହିଥିଲେ। ଏହି ଭାଷଣ ନେଇ ହିନ୍ଦୁ ସେନା କହିଛି ଓୱାଇସି ତାଙ୍କ ଭାଷଣରେ ମୁସଲମାନ ସମ୍ପ୍ରଦାୟର ଯୁବବର୍ଗମାନଙ୍କୁ ଉତ୍ତେଜିତ କରୁଛନ୍ତି। ସେ ଦେଶରେ ସାମ୍ପ୍ରଦାୟିକ ଘୃଣା ବିସ୍ତାର କରି ଶାନ୍ତି ଭଙ୍ଗ କରିବାକୁ ଚାହୁଁଛନ୍ତି।

Share