ବାଇକ୍‌ରେ ଆସି ଝାମ୍ପିନେଲେ ୧୧ଲକ୍ଷ

ସମ୍ବଲପୁର,୧୨।୧୦(ବ୍ୟୁରୋ): ସମ୍ବଲପୁର ଟାଉନ ଥାନା ଅନ୍ତର୍ଗତ ହସ୍ପିଟାଲ ରୋଡ୍‌ର ଏକ ଏସି ମରାମତି ଦୋକାନ ମାଲିକ ମହମ୍ମଦ ଜିସାମଙ୍କଠାରୁ ମଙ୍ଗଳବାର ଲୁଟ୍‌ ହୋଇଛି। ସ୍ପଷ୍ଟ ଦିବାଲୋକରେ ଦୁର୍ବୃତ୍ତମାନେ ଏକ ପଲସର ବାଇକ୍‌ରେ ଆସି ତାଙ୍କଠାରୁ ୧୧ଲକ୍ଷ ଟଙ୍କା ଲୁଟିନେଇଛନ୍ତି। ସିସିଟିଭିକୁ ଆଧାରକରି ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁସାରେ ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଦୋକାନ ଖୋଲିବା ପାଇଁ ଜିସାମ ଓ ଜଣେ କର୍ମଚାରୀ ୧୧ ଲକ୍ଷ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ଦୋକାନକୁ ଆସିଥିଲେ। ଦୋକାନ ଶଟର ଖୋଲିବା ସମୟରେ ଟଙ୍କା ବ୍ୟାଗଟିକୁ ତଳେ ଥୋଇଥିଲେ। ହଠାତ ଜଣେ ଯୁବକ ପହଞ୍ଚତ୍ ଟଙ୍କା ବ୍ୟାଗ୍‌ ଧରି ଫେରାର ଉଦ୍ୟମ କରିଥିଲେ। ଦୋକାନ କର୍ମଚାରୀ ଛଡ଼ାଇବାକୁ ଉଦ୍ୟମ କରିଥିଲେ। ହେଲେ ଲୁଟେରା ଜଣକ ତାଙ୍କୁ ଠେଲି ଟଙ୍କା ବ୍ୟାଗ ଧରି ଅନ୍ୟ ଜଣଙ୍କ ସହ ବାଇକ୍‌ରେ ଫେରାର ହୋଇଯାଇଥିଲେ। ଏ ନେଇ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି। ପୋଲିସ ସନ୍ଦେହରେ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି।

Share