ଲୋକପାଳ ନିଯୁକ୍ତ କରିନାହାନ୍ତି ଓଡ଼ିଶାର ୧୧ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୧୪।୩(ଅସମାପିକା ସାହୁ)ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ନିୟମ ମାନୁନାହାନ୍ତି। ଏହି ଖିଲାପୀ ତାଲିକାରେ ଭାରତର ଅନେକ ଶିକ୍ଷାନୁଷ୍ଠାନ ରହିଥିବାବେଳେ ଓଡ଼ିଶାରେ ଥିବା ସରକାରୀ ବିଶ୍ବବିଦ୍ୟାଳୟ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ବାରମ୍ବାର ତାଗିଦ ସତ୍ତ୍ବେ ବହୁ ବିଶ୍ବବିଦ୍ୟାଳୟ ଲୋକପାଳ ନିଯୁକ୍ତ କରି ନ ଥିବାରୁ ଏହାକୁ ନେଇ ୟୁଜିସି କଡ଼ା ଆଭିମୁଖ୍ୟ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ପରିପ୍ରେକ୍ଷୀରେ ୟୁଜିସିର ଛାତ୍ରୀଛାତ୍ରଙ୍କ ଅଭିଯୋଗ ସମାଧାନ ନିୟମାବଳୀ ୨୦୨୩ ଅନୁସାରେ ଲୋକପାଳ ନିଯୁକ୍ତ କରିବାରେ ବିଫଳ ହୋଇଥିବା ବିଶ୍ବବିଦ୍ୟାଳୟଗୁଡ଼ିକର ତାଲିକା ଜାରି କରାଯାଇଛି। ଖିଲାପୀ ବିଶ୍ବବିଦ୍ୟାଳୟ ତାଲିକାରେ ଦେଶର ମୋଟ ୬୭ଟି ସରକାରୀ ବିଶ୍ୱବିଦ୍ୟାଳୟ ରହିଥିବାବେଳେ ଏଥିମଧ୍ୟରୁ ଓଡ଼ିଶାରୁ ୧୧ଟି ରହିଛି। ସେଗୁଡ଼ିକ ହେଲା ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟ, ବିପିୟୁଟି, ଆଇଆଇଆଇଟି, କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ, ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ, ଓୟୁଟିଆର୍‌, ଓୟୁଏଟି, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଏବଂ ବୁର୍ଲା ବୀରସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ୍‌ ରିସର୍ଚ୍ଚ ବିଶ୍ୱବିଦ୍ୟାଳୟ।
ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀଛାତ୍ରଙ୍କ ଅଭିଯୋଗ ସମାଧାନ ପାଇଁ ଏକ କମିଟି ଗଠନର ବ୍ୟବସ୍ଥା ରହିଛି। ଛାତ୍ରୀଛାତ୍ର ନାମଲେଖା, ପରୀକ୍ଷା, ଦେୟ, ନିର୍ଯାତନା ଆଦି ସଂକ୍ରାନ୍ତରେ ଏହି କମିଟି ନିକଟରେ ଅଭିଯୋଗ କରିପାରିବେ। ଏଥିସହ ପ୍ରତ୍ୟେକ ବିଶ୍ବବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଅଭିଯୋଗର ସମାଧାନ ପାଇଁ ଜଣେ ଲୋକପାଳ ନିଯୁକ୍ତ କରିବାକୁ ୟୁଜିସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ବିଶ୍ବବିଦ୍ୟାଳୟ କିମ୍ବା ବିଶ୍ବବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟ ବା ଅନୁଷ୍ଠାନର ଛାତ୍ରୀଛାତ୍ର ଲୋକପାଳଙ୍କ ନିକଟରେ ଆବେଦନ କରିପାରିବେ। ଶିକ୍ଷାନୁଷ୍ଠାନର ଅଭିଯୋଗ ସମାଧାନ କମିଟି ଦ୍ବାରା ଅଭିଯୋଗର ସମାଧାନ ନିର୍ଦ୍ଧାରିତ ସମୟରେ ନ ହୋଇପାରିଲେ, ସେମାନଙ୍କୁ ଲୋକପାଳଙ୍କ ନିକଟରେ ଆବେଦନ ପାଇଁ ସୁଯୋଗ ମିଳିବ। ହେଲେ ଉକ୍ତ ନିର୍ଦ୍ଦେଶନାମାକୁ ବିଶ୍ୱବିଦ୍ୟାଳୟଗୁଡ଼ିକ ପାଳନ କରୁ ନ ଥିବାରୁ ୟୁଜିସି ଏନେଇ ବାରମ୍ବାର ଚିଠି ଲେଖି ତାଗିଦ କରିଛନ୍ତି। ଏହାସତ୍ତ୍ୱେ ଦେଶର ଅଧିକାଂଶ ସରକାରୀ ବିଶ୍ୱବିଦ୍ୟାଳୟ ଲୋକପାଳ ନିଯୁକ୍ତ କରି ନ ଥିବାରୁ ୟୁଜିସି ଏହି ତାଲିକା ପ୍ରକାଶ କରିଛି।

Share