ଅଜଣା ରୋଗରେ ୧୧ଜଣଙ୍କ ମୃତ୍ୟୁ, ଅନେକ ଅଛନ୍ତି ଆକ୍ରାନ୍ତ

କେନ୍ଦୁଝର,୨୦।୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ୍‌ ଗୋନାସିକା ପଞ୍ଚାୟତ ଅନ୍ତର୍ଗତ ଜନ୍ତାରୀ ଜୁଆଙ୍ଗ ଗ୍ରାମରେ ଅଜଣା ରୋଗରେ ୧୧ରୁ ଅଧିକ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆକ୍ରାନ୍ତ ଅଛନ୍ତି। ଏହି ଘଟଣା ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି। ଏ ନେଇ ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗର ଏକ ଡାକ୍ତରୀ ଟିମ୍‌ ଉକ୍ତ ଗ୍ରାମକୁ ଯାଇ ଲୋକଙ୍କୁ ଚିକିତ୍ସା କରିବା ସହ ଘଟଣାର ଅନୁଧ୍ୟାନ କରି ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରିପୋର୍ଟ ଦେଇଛିି। ଏଥିସହ ଘାଟଣାର ତଦନ୍ତ ଓ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଗାଁରେ ବାଂଶପାଳ ବିଡିଓ ବିକ୍ରାନି କିସପାଟା, ପିଏ ଆଇଟିଡିଏର ପ୍ରକଳ୍ପ ପ୍ରଶାସକ, ଜୁଆଙ୍ଗ ଉନ୍ନୟନ ସଂସ୍ଥା ତଥା ସିଡିପିଓ ରାଜେଶ ମହାନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି।
ଜିଲା ରୋଗ ନିୟନ୍ତ୍ରଣ ବିଭାଗ ମୁଖ୍ୟ ଡା. ରମାକାନ୍ତ ମୁଣ୍ଡାଙ୍କ ନେତୃତ୍ୱରେ ଡାକ୍ତରୀ ଟିମ୍‌ ଲୋକଙ୍କୁ ଚିକିତ୍ସା କରିଥିଲା। ଗାଁରେ ଦୁଇଟି ସୌରଚାଳିିତ ପାନୀୟ ଜଳ ପ୍ରକଳ୍ପ ଥିଲେ ସୁଦ୍ଧା ରକ୍ଷଣାବେକ୍ଷଣ ଓ ସଫାସୁତୁରା ଅଭାବରୁ ସେଥିରୁ ପୋକ ବାହାରୁଥିବା ଜଣାପଡ଼ିଛି। ପାଣି  ଦୁର୍ଗନ୍ଧ ହେଉଛି, ଫଳରେ ଲୋକମାନେ ଚୁଆରୁ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି। ଗାଁ ଲୋକେ ଜଣ୍ଡିସ୍‌, ରକ୍ତହୀନତା ସହ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିବା ଟିମ୍‌ ସ୍ବୀକାର କରିବା ସହ ଅଞ୍ଚଳବାସୀଙ୍କ ରକ୍ତ ଓ ପାଣି ନମୁନା ସଂଗ୍ରହ କରିଛିି। ଗ୍ରାମରେ ପାଖାପାଖି ୧୦୦ ଜୁଆଙ୍ଗ ଜନଜାତି ପରିବାର ରୁହନ୍ତି। ପ୍ରଥମେ ଗୋଟିଏ ପରିବାରର ସ୍ତ୍ରୀ, ସ୍ବାମୀ ଓ ଗୋଟିଏ ଛୁଆ କିଛିଦିନ ବ୍ୟବଧାନରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ୪ କୋମଳମତି ନାବାଳିକା ରହିଛନ୍ତି। ଅନ୍ୟପକ୍ଷେ ଚଳିତ ବର୍ଷ ୩୦ ଅଗଷ୍ଟରେ ରାଉତ ଜୁଆଙ୍ଗ(୪୯), ୯ ସେପ୍ଟେମ୍ବରରେ ଯୋଡ଼ା ଜୁଆଙ୍ଗ(୭୫), ୧୨ ଅଗଷ୍ଟରେ ଲକ୍ଷ୍ମୀ ଜୁଆଙ୍ଗ(୨୫), ୧୫ ଅଗଷ୍ଟରେ ବିମଳା ଜୁଆଙ୍ଗ (୨୦), ୪ ସେପ୍ଟେମ୍ବରରେ ତୁରିନା ଜୁଆଙ୍ଗ(୨୫), ୨୪ ସେପ୍ଟେମ୍ବରରେ ସୁକୁମାରୀ ଜୁଆଙ୍ଗ(୫୮), ୬ ସେପ୍ଟେମ୍ବରରେ ନୁନି (ଅଢ଼େଇ ବର୍ଷ), ୨୭ ସେପ୍ଟେମ୍ବରରେ ସୁନିଆ ଜୁଆଙ୍ଗ(୩୫), ୧୭ ଅକ୍ଟୋବରରେ ରଶ୍ମି ଜୁଆଙ୍ଗ (୩୦) ପ୍ରମୁଖ ବାର୍ଦ୍ଧକ୍ୟ, ଫିଟ୍‌ସ, ହୃଦ୍‌ଘାତ ଆଦିରେ ମୃତ୍ୟୁ ବରଣ କରିଥିବା ଡାକ୍ତରୀ ଟିମ୍‌ କହିଛି। ବର୍ତ୍ତମାନ ଗ୍ରାମରେ ଆହୁରି ୧୦ରୁ ୧୫ ଜଣ ଆକ୍ରାନ୍ତ ରହିଥିବା ବେଳେ ସେମାନଙ୍କ ଆର୍ଥିକ ଅବସ୍ଥା ଭଲ ନ ଥିବା ଓ ସଚେତନତା ଅଭାବରୁ ଠିକ୍‌ ସମୟରେ ଚିକିତ୍ସିତ ହୋଇପାରୁ ନ ଥିବା କୁହାଯାଉଛି। ସିଡିଏମ୍‌ଓ ଡା. କେ.ସି. ପୃଷ୍ଟି କହିଛନ୍ତି, ମୃତକମାନେ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ଥିଲେ। ଡାକ୍ତରୀ ଟିମ୍‌ ଗ୍ରାମରେ ପହଞ୍ଚତ୍ ଶତାଧିକ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଛି ବୋଲି କହିଥିଲେ। ପିଏ ଆଇଟିଡିଏ ତପନ କୁମାର ନାଏକ ଲୋକଙ୍କ ମୃତ୍ୟୁ ହେବା କଥାକୁ ସ୍ବୀକାର କରିଥିଲେ। ମାତ୍ର ମୃତ୍ୟୁ ମାସକରେ ନୁହେଁ, ତିନି ମାସ ମଧ୍ୟରେ ହୋଇଥିବା କହିଥିଲେ। ଏଥିସହ ମା’ବାପା ଛେଉଣ୍ଡ ପିଲାଙ୍କୁ ସହାୟତା ଦିଆଯିବ ବୋଲି କହିଛନ୍ତି।
Share