Categories: ଜାତୀୟ

ଆତ୍ମସମର୍ପଣ କଲେ ୧୧ ବଳାତ୍କାରୀ

ଗୋଧ୍ରା,୨୩।୧: ବିଲ୍‌କିସ୍‌ ବାନୋ ଗଣବଳାତ୍କାର ଓ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା ମାମଲାର ସମସ୍ତ ୧୧ ଦୋଷୀ ରବିବାର ରାତିରେ ଗୁଜରାଟ ପଞ୍ଚମହଲ ଜିଲାର ଗୋଧ୍ରା ସବ୍‌ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ ପାଇଁ ସମୟ ବଢ଼ାଇବା ନିମନ୍ତେ ସେମାନଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେବା ସହ ରବିବାର ସୁଦ୍ଧା ଆତ୍ମସମର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ୨୦୨୨ ଅଗଷ୍ଟ ୧୫ରେ ଗୁଜରାଟ ସରକାର ଅପରାଧୀମାନଙ୍କୁ କ୍ଷମା ଦେଇ ମିଆଦ ପୂରିବା ପୂର୍ବରୁ ଜେଲରୁ ମୁକ୍ତ କରିଦେଇଥିଲେ। ଗତ ୮ ତାରିଖରେ ସର୍ବୋଚ୍ଚ ଅଦାଲତ ଗୁଜରାଟ ସରକାରଙ୍କ ନିଷ୍ପତ୍ତିକୁ ଖାରଜ କରିଦେଇ ଅପରାଧୀମାନଙ୍କୁ ଜେଲ ଫେରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଅପରାଧୀମାନେ ହେଲେ ବକାଭାଇ ଭୋହାନିଆ, ବିପିନ ଚନ୍ଦ୍ର ଜୋଷୀ, କେସରଭାଇ ଭୋହନିଆ, ଗୋବିନ୍ଦ ନାଇ, ଯଶଓ୍ବନ୍ତ ନାଇ, ମିତେଶ ଭଟ୍ଟ, ପ୍ରଦୀପ ମୋର୍ଧତ୍ଆ, ରାଧେଶ୍ୟାମ ଶାହ, ରାଜୁଭାଇ ସୋନି, ରମେଶ ଚନ୍ଦନ ଏବଂ ଶୈଳେଶ ଭଟ୍ଟ। ୨୦୦୨ ଗୋଧ୍ରା ସାମ୍ପ୍ରଦାୟିକ ଦଙ୍ଗା ବେଳେ ୫ ମାସର ଗର୍ଭବତୀ ଥିବା ୨୧ ବର୍ଷୀୟା ବିଲ୍‌କିସ୍‌ଙ୍କୁ ଅପରାଧୀମାନେ ଗଣବଳାତ୍କାର କରିବା ସହ ତାଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରିଥିଲେ। ଅପରାଧୀମାନେ ବିଲ୍‌କିସ୍‌ଙ୍କ ୩ ବର୍ଷର ଝିଅକୁ ମଧ୍ୟ ଛାଡ଼ି ନ ଥିଲେ। ଏହି ମାମଲାରେ ଅପରାଧୀମାନେ ଗୋଧ୍ରା ସବ୍‌ଜେଲରେ ଆଜୀବନ ଜେଲଦଣ୍ଡ ଭୋଗୁଥିବାବେଳେ ଗୁଜରାଟ ସରକାର ବେଆଇନ ଭାବେ ସେମାନଙ୍କ କ୍ଷମା ଆବେଦଳକୁ ବିଚାର କରି ୨୦୨୨ ଅଗଷ୍ଟ ୧୫ରେ ସେମାନଙ୍କୁ ମୁକ୍ତ କରିଦେଇଥିଲେ।

Share