Categories: ଜାତୀୟ

୧୧ ଟ୍ରାକରଙ୍କ ମୃତ ଦେହ ଉଦ୍ଧାର, ବାୟୁସେନାର ଅପରେଶନ୍‌ ଜାରି…

ନୂଆଦିଲ୍ଲୀ,୨୩।୧୦: ବାୟୁସେନା ଉତ୍ତରାଖଣ୍ଡର ଲାମଖାଗା ଗିରିପଥ ନିକଟରୁ ସମୁଦ୍ର ପତ୍ତନଠାରୁ ୧୭,୦୦୦ ଫୁଟ ଉଚ୍ଚରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ଏଠାରେ ପ୍ରବଳ ତୁଷାରପାତ ଏବଂ ଖରାପ ପାଗ ଯୋଗୁଁ ଅକ୍ଟୋବର୧୮ରେ ପର୍ଯ୍ୟଟକ, ପୋର୍ଟର ଏବଂ ଗାଇଡ ସମେତ ୧୭ଜଣ ଟ୍ରାକର ରାସ୍ତା ହରାଇଥିବା ଖବର ମିଳିଥିଲା। ଲାମଖାଗା ଗିରିପଥ ଅଞ୍ଚଳଠାରୁ ଇତିମଧ୍ୟରେ ୧୧ଟି ମୃତଦେହ ଉଦ୍ଧାର କରାଯାଇଛି।

ହିମାଚଳ ପ୍ରଦେଶର କିନ୍ନର ଜିଲାକୁ ଉତ୍ତରାଖଣ୍ଡର ହାର୍ସିଲ ସହିତ ସଂଯୋଗ କରୁଥିବା ଏହା ସବୁଠାରୁ ବିପଦଜନକ ଗିରିପଥ। ଅକ୍ଟୋବର ୨୦ରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ହୋଇଥିବା ଏସ୍‌ ଓଏସ୍‌ କଲ ପରେ ଭାରତୀୟ ବାୟୁସେନା ପକ୍ଷରୁ ପର୍ଯ୍ୟଟନ ପାହାଡ ଷ୍ଟେସନ ହାର୍ସିଲରେ ପହଞ୍ଚିବା ପାଇଁ ଦୁଇଟି ଆଡଭାନ୍ସଡ ଲାଇଟ ହେଲିକପ୍ଟର (ଏଏଲ୍‌ଏଚ୍‌) ନିୟୋଜିତ କରିଥିଲା।

ଅକ୍ଟୋବର ୨୦ରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନ୍‌ଡିଆର୍‌ଏଫ୍‌)ର ତିନିଜଣ କର୍ମଚାରୀଙ୍କ ସହିତ ଏଏଲ୍‌ଏଚ୍‌ ମିଳିତ ଅପରେଶନ୍‌ରେ ଅପରାହ୍ନରେ ୧୯,୫୦୦ ଫୁଟ ଉଚ୍ଚରେ ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଅକ୍ଟୋବର ୨୧ରେ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏସ୍‌ଡିଆର୍‌ଏଫ୍‌) କର୍ମଚାରୀଙ୍କ ମିଳିତ ସହଯୋଗରେ ଉଦ୍ଧାରକାରୀ ଦଳଙ୍କୁ ୧୫,୭୦୦ ଫୁଟ ଉଚ୍ଚରେ ଚାରୋଟି ମୃତଦେହ ମିଳିଥିଲା।

ପରେ ହେଲିକପ୍ଟର ଦ୍ୱାରା ୧୬,୮୦୦ ଫୁଟ ଉଚ୍ଚରେ ଜଣେ ଜୀବିତ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଥିଲା। ସେ ଚାଲି ପାରୁ ନ ଥିଲେ। ଅକ୍ଟୋବର ୨୨ରେ, ଏଏଲ୍‌ଏଚ୍‌ ସହାୟତାରେ ଜଣେ ଜୀବିତ ଲୋକଙ୍କୁ ଉଦ୍ଧାର କରିଥିଲେ। ଏହା ସହିତ ୧୬,୫୦୦ ଫୁଟ ଉଚ୍ଚରୁ ପାଞ୍ଚଟି ମୃତଦେହ ଉଦ୍ଧାର କରାଯାଇଥିଲା। ଆଉ ଦୁଇଟି ମୃତଦେହ ଅବସ୍ଥିତ ଏବଂ ଡୋଗ୍ରା ସ୍କାଉଟ୍ସ, ୪ର୍ଥ ବାଟାଲିୟନ ଆସାମ ଏବଂ ଆଇଟିବିପି ଟିମର ମିଳିତ ପାଟ୍ରୋଲିଂ ଦ୍ୱାରା ୨ ଟି ମୃତଦେହ ଉଦ୍ଧାର କରାଯାଇ ନିଥଲ ଥାକ କ୍ୟାମ୍ପକୁ ଅଣାଯାଇଛି।

ଅନ୍ୟ ନିଖୋଜ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ଏକ ଅନୁସନ୍ଧାନ ଦଳ ଶନିବାର ଏଏଲ୍‌ଏଚ୍‌ କ୍ରୁ ଦ୍ୱାରା ସର୍ଚ୍ଚ ଅପରେଶନ୍‌ ଜାରି ରଖିଛନ୍ତି। ଉଦ୍ଧାରକାରୀ ଦଳ ମୃତଦେହକୁ ସ୍ଥାନୀୟ ପୋଲିସକୁ ହସ୍ତାନ୍ତର କରିଛନ୍ତି। ଉଦ୍ଧାର ହୋଇଥିବା ଆହତ ଲୋକଙ୍କୁ ଉତ୍ତରକାଶୀର ଜିଲା ଡାକ୍ତରଖାନାକୁ ପଠାଯିବା ପୂର୍ବରୁ ହାର୍ସିଲରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା।

Share