Categories: ଜାତୀୟ

୨୫୦ ଟଙ୍କାର ଲଟେରି ଟିକେଟରେ ୧୦ କୋଟି ଜିତିଲେ ୧୧ ମହିଳା

କୋଝିକୋଡ,୨୯ା୭: କେରଳ ମାଲାପୁରମ ଜିଲା ପରପ୍ପନଙ୍ଗଦି ମ୍ୟୁନିସିପାଲିଟି ଅନ୍ତର୍ଗତ ହରିଥା କର୍ମ ସେନା (ଏଚ୍‌କେଏସ୍‌)ର ୧୧ ଜଣ ମହିଳା ସଦସ୍ୟ ମୌସୁମୀ ବମ୍ପର ଲଟେରିର ପ୍ରଥମ ପୁରସ୍କାର ସ୍ବରୂପ ୧୦ କୋଟି ଟଙ୍କାର ପୁରସ୍କାର ଜିତିଛନ୍ତି। ୨୫୦ ଟଙ୍କାର ଲଟେରି ଟିକେଟ କିଣିବା ପାଇଁ କେହି ସମର୍ଥ ନ ଥିବାରୁ ୧୧ ଜଣ ଭାଗ କରି ଟଙ୍କା ସଂଗ୍ରହ କରିଥିଲେ। ୯ ଜଣ ମହିଳା ୨୫ ଟଙ୍କା ଲେଖାଏ ଓ ଅନ୍ୟ ୨ ଜଣ ୧୨ ଟଙ୍କା ୫୦ ପଇସା ଲେଖାଏ ଦେଇଥିଲେ, ଯାହା ସେମାନଙ୍କ ଭାଗ୍ୟ ଖୋଲିଦେଇଛି। ଏହି ମହିଳାମାନେ ଘରକୁ ଘର ବୁଲି ଜୈବିକ ଉପାୟରେ ବିଘଟିତ ହେଉ ନ ଥିବା ବର୍ଜ୍ୟ ସଂଗ୍ରହ କରୁଥିଲେ। ଅଢ଼େଇ ବର୍ଷ ହେଲା ସେମାନେ ଏହି ବୃତ୍ତିରୁ ସେମାନଙ୍କ ଗୁଜରାଣ ମେଣ୍ଟାଉଥିଲେ। ମ୍ୟୁନିସିପାଲିଟିର ୫୭ ଜଣିଆ ଏଚ୍‌କେଏସ୍‌ ଗ୍ରୁପ୍‌ର ସେମାନେ ସଦସ୍ୟ ଥିଲେ। ଏବେ ଭାଗ୍ୟଦେବୀ ସେମାନଙ୍କୁ ପ୍ରସନ୍ନ ହୋଇଥିବାବେଳେ ସେମାନଙ୍କ ପେସା ଜାରି ରଖିବେ ବୋଲି କହିଛନ୍ତି। ଲଟେରି ବିଜେତାମାନେ ହେଲେ ଏଚ୍‌କେଏସ୍‌ ସଦସ୍ୟା ପି. ପର୍ଭାତି, କେ. ଲୀଲା, ଏମ୍‌.ପି. ରାଧା, ଏମ୍‌. ଶିଜା, କେ. ଚନ୍ଦ୍ରିକା, ଇ. ବିନ୍ଦୁ, କାର୍ଥିୟାୟିନୀ, କେ. ଶୋଭା, ସି. ବେବି, ସି. କୁଟ୍ଟିମାଲୁ ଏବଂ ପି. ଲକ୍ଷ୍ମୀ। ପର୍ଭାତିଙ୍କ କହିବା ଅନୁଯାୟୀ, ସେମାନେ ପୂର୍ବରୁ ୩ ଥର ଲଟେରି ଟିକେଟ କିଣିଥିଲେ ମଧ୍ୟ ପୁରସ୍କାର ଜିତି ନ ଥିବାରୁ ଏଥର ମଧ୍ୟ ଜିତିବେ ବୋଲି ଆଶା ରଖି ନ ଥିଲେ। ଏଥର ଟଙ୍କା ଆଦାୟ କରି ଚତୁର୍ଥ ଟିକେଟ କିଣିଥିଲେ ହେଁ ପାଲାକ୍କାଡର ଏକ ସଂସ୍ଥା ବିକିଥିବା ଟିକେଟ ଜିତିଥିବା ବୁଧବାର ଶୁଣିବାକୁ ପାଇବାରୁ ଏହା ଆଉ ଏକ କ୍ଷତି ହେଲା ବୋଲି ସେମାନେ ଥରିନେଇଥିଲେ। ଅପରାହ୍ନରେ ପର୍ଭାତି କାମରୁ ଫେରିବା ବେଳକୁ ଯେଉଁ ଟିକେଟରେ ଲଟେରି ଉଠିଛି, ତାହା ସେମାନଙ୍କ ଟିକେଟ ବୋଲି ତାଙ୍କ ପୁଅ କହିଥିଲେ। ସେମାନେ ଲଟେରି ଟଙ୍କାରେ ଘର କରିବେ, ପିଲାଙ୍କ ଶିକ୍ଷା ଖର୍ଚ୍ଚ ଭରଣା କରିବେ ଓ ଋଣ ଶୁଝିବେ ବୋଲି କହିଛନ୍ତି। ବେବି ଏବଂ କୁଟ୍ଟିମାଲୁଙ୍କ ପାଖରେ ଟଙ୍କା ନ ଥିବାରୁ ଟିକେଟ କିଣିବା ପାଇଁ ସେମାନେ ୧୨ ଟଙ୍କା ୫୦ ପଇସା ଲେଖାଏ ଦେଇଥିଲେ। ଏଚ୍‌କେଏସ୍‌ ଗ୍ରୁପ୍‌ର ଏହି ସଦସ୍ୟମାନେ ଏତେ ଗରିବ ଥିଲେ ଯେ ଗାଡ଼ିରେ ଯିବାକୁ ଟଙ୍କା ନ ଥିବାରୁ ସେମାନେ ପ୍ରତିଦିନ ଚାଲି ଚାଲି ମ୍ୟୁନିସିପାଲିଟି କାର୍ଯ୍ୟାଳୟକୁ ଯାଉଥିଲେ।

Share