୧୧ବର୍ଷ ବିତିଲା, କାର୍ଯ୍ୟକ୍ଷମ ହୋଇନି

ଖଡ଼ିଆଳ,୧୪ା୭(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ ଡୁଆଝର ଗ୍ରାମରେ ରହିଛି ଆଦିବାସୀ ଛାତ୍ରୀ ନିବାସ। ୨୦୧୨-୧୩ ମସିହାରେ ଶହେ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସ ନିର୍ମାଣ ହୋଇ ତତ୍କାଳୀନ ରାଜ୍ୟପାଳ ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ୧୦୦ ଶଯ୍ୟା ବିଶିଷ୍ଠ ଏହି ଛାତ୍ରୀ ନିବାସରେ ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ୧୦ଜଣ ଅନୁସୂଚିତ ଜାତି ଏବଂ ୯୦ଜଣ ଅନୁସୂଚିତ ଜନଜାତି ଛାତ୍ରୀ ରହିବାର ବ୍ୟବସ୍ଥା ରହିଥିଲା। ଡୁଆଝର ହାଇସ୍କୁଲରେ ପଢୁଥିବା ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିର ମୋଟ ଶହେଜଣ ଛାତ୍ରୀ ଏଠାରେ ରହିବା ସ୍ଥିରୀକୃତ ହୋଇଥିଲା। ଏଥିପାଇଁ ଓ୍ବାଡେନ, ଜଣେ ମେଟ୍ରନ ଓ ୨ଜଣ ରୋଷେୟା ନିଯୁକ୍ତି ହୋଇଛନ୍ତି। ହେଲେ ଇତିମଧ୍ୟରେ ୧୧ବର୍ଷ ବିତିଯାଇଥିଲେ ମଧ୍ୟ ଛାତ୍ରୀ ନିବାସରେ କୌଣସି କାରଣରୁ ପିଲା ରହୁନାହାନ୍ତି। ଫଳରେ ରକ୍ଷଣାବେକ୍ଷଣଠାରୁ କର୍ମଚାରୀଙ୍କ ଦରମା ଯାଏ ସରକାରୀ ତହବିଲରୁ ଅର୍ଥ ଖର୍ଚ୍ଚ ହେଉଥିଲେ ହେଁ ଯେଉଁ ଉଦ୍ଦେଶ୍ୟରେ ଛାତ୍ରୀ ନିବାସ ନିର୍ମାଣ ହୋଇଥିଲା ତାହା ସକାର ହୋଇ ପାରିନାହିଁ।
ଛାତ୍ରୀ ନିବାସ ନିର୍ମାଣ ପରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆବଶ୍ୟକ ଛାତ୍ରୀ ମିଳି ନ ଥିବା କୁହାଯାଉଛି। ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ବିଭାଗ ପକ୍ଷରୁ ପଦକ୍ଷେପ ନିଆ ନ ଯିବାରୁ ଆଜି ଏହା କେବଳ ସାଇନବୋର୍ଡରେ ସୀମିତ ରହିଛି। ଛାତ୍ରୀ ନିବାସ ଅବଧି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ନ ଥିବା ବେଳେ ଜିଲା ପ୍ରଶାସନ ମରାମତି ଆଦି ବାବଦରେ ଟଙ୍କା ଖର୍ଚ୍ଚ କରୁଛି। ଆରଏଲଟିଏପି ପାଣ୍ଠିରୁ ୨୦୧୮-୧୯ ମସିହାରେ ୫ଲକ୍ଷ ୨୦ହଜାର ଟଙ୍କା ମରାମତି ପାଇଁ ଖର୍ଚ୍ଚ ହୋଇଛି। ୨୦୧୯-୨୦ ମସିହାରେ ପାଚେରି ମରାମତି କରାଯାଇ ଥିବା ସୂଚନା ଫଳକରୁ ଜଣାପଡିଛି। ଏପରିକି ରାସ୍ତା କଂକ୍ରିଟକରଣ ତଥା ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପ୍ରତ୍ୟେକ ବର୍ଷ ଅର୍ଥ ବିନିଯୋଗ ହେଉଛି। ଏଠାରେ ଜଣେ ମଧ୍ୟ ଛାତ୍ରୀ ଅଧ୍ୟୟନ କରି ନ ଥିବାବେଳେ ଛାତ୍ରୀ ନିବାସରେ କିପରି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଉଛି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ଖଡ଼ିଆଳ ମଙ୍ଗଳ ଅଧିକାରୀ କ୍ଷଣପ୍ରଭା ପାଣିଗ୍ରାହୀଙ୍କୁ ପଚାରିବାରୁ ଚଳିତ ବର୍ଷ ଛାତ୍ରୀ ନିବାସ କାର୍ଯ୍ୟାରମ୍ଭ କରିବାକୁ ସମସ୍ତ ପ୍ରସ୍ତୁତି ଚାଲିଛି ବୋଲି କହିଥିଲେ।