Categories: ଜାତୀୟ

ପିଏମ୍‌ କିଷାନ ଯୋଜନାରେ ୧୧୦ କୋଟି ହେରଫେର୍‌: ୮୦ କର୍ମଚାରୀ ଚାକିରିରୁ ବିଦା

ନୂଆଦିଲ୍ଲୀ, ୯।୯: ଦେଶରେ ଚାଷୀଙ୍କ ବିକାଶ ପାଇଁ ପ୍ରଣୟନ ହୋଇଥିବା ‘ପିଏମ୍‌ କିଷାନ ଯୋଜନା’ରେ ୧୧୦ କୋଟିରୁ ଅଧିକ ଟଙ୍କା ହେରଫେର୍‌ ସମ୍ପର୍କରେ ଜଣାପଡ଼ିଛି। ଅନ୍‌ଲାଇନ୍‌ରେ ଟଙ୍କା ହିତାଧିକାରୀଙ୍କ ବଦଳରେ ଅନ୍ୟମାନଙ୍କ ଖାତାକୁ ଯାଇଥିବା କୁହାଯାଉଛି। ତାମିଲନାଡୁରେ ଏହାର ପର୍ଦ୍ଦାଫାଶ୍‌ ହୋଇଛି। କେତେକ ଅସାଧୁ କର୍ମଚାରୀ ସ୍ଥାନୀୟ ରାଜନେତାଙ୍କ ସହିତ ମିଳିତ ହୋଇ ଏପରି କରିଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୮୦ ଜଣ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଥିବାବେଳେ ୩୪ ଜଣଙ୍କୁ ନିଲମ୍ବିତ କରାଯାଇଛି। ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ତଦନ୍ତ ଜାରି ରହିଛି। ହଡ଼ପ ହୋଇଥିବା ଟଙ୍କାରୁ ବର୍ତ୍ତମାନ ସୁଦ୍ଧା ୩୨ କୋଟି ଟଙ୍କା ଆଦାୟ କରାଯାଇଛି। ଅଗଷ୍ଟରେ ଯୋଜନାବଦ୍ଧ ଭାବେ କିଛି ଲୋକଙ୍କୁ ଏହି ଯୋଜନାରେ ଯୋଡ଼ା ଯାଇଥିଲା। କୃଷି ବିଭାଗର କେତେକ ଅସାଧୁ କର୍ମଚାରୀ ଅନ୍‌ଲାଇନ୍‌ ଆବେଦନ ପ୍ରଣାଳୀର ବ୍ୟବହାର କରି ଏଭଳି ଦୁର୍ନୀତି କରିଥିବା ରାଜ୍ୟ ମୁଖ୍ୟ ସଚିବ ଗଗନଦୀପ୍‌ ସି ଦେବୀ ସୂଚନା ଦେଇଛନ୍ତି। ହଡ଼ପ ହୋଇଥିବା ଅବଶିଷ୍ଟ ଟଙ୍କା ୪୦ ଦିନ ମଧ୍ୟରେ ଆଦାୟ କରାଯିବ ବୋଲି ରାଜ୍ୟ ସରକାର କହିଛନ୍ତି। କଲ୍ଲାକୁରିଚି, ବିଲ୍ଲୁପୁରମ୍‌, କୁଡୁଲୋର୍‌, ତିରୁଓ୍ବନମଲାଇ, ଭେଲୋର, ରାନିପେଟ୍‌, ସଲେମ୍‌, ଧର୍ମପୁରୀ, କୃଷ୍ଣଗିରି ଏବଂ ଚେଙ୍ଗେଲପେଟ୍‌ ଜିଲାରେ ଏଭଳି ଦୁର୍ନୀତି ହୋଇଛି। ଅନ୍ନଦାତାଙ୍କ ପାଇଁ ଆସୁଥିବା ଟଙ୍କା ବାଟମାରଣା ହୋଇଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share