ନୂଆଦିଲ୍ଲୀ,୧୦ା୧୨: ରୁଷିଆର ଆକ୍ରମଣ ପରେ ୟୁକ୍ରେନ୍ରେ ପାଠ ପଢ଼ୁଥିବା ବହୁ ଛାତ୍ରୀଛାତ୍ର ସ୍ବଦେଶକୁ ଫେରିଆସିଥିଲେ। କିନ୍ତୁ ଏବେ ବି ସେଠାରେ ପ୍ରାୟ ୧,୧୦୦ ଜଣ ଭାରତୀୟ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତରୀ ଛାତ୍ରୀଛାତ୍ର ବୋଲି ଶୁକ୍ରବାର ଲୋକ ସଭାକୁ କେନ୍ଦ୍ର ସରକାର ଅବଗତ କରାଇଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷୀ ଲେଖି କହିଛନ୍ତି, କିଭ୍ସ୍ଥିତ ଭାରତୀୟ ଦୂତାବାସ ଅକ୍ଟୋବର ୨୫ରେ ତୁରନ୍ତ ୟୁକ୍ରେନ୍ ଛାଡ଼ି ଚାଲିଯିବାକୁ ସମସ୍ତ ଭାରତୀୟଙ୍କ ଉଦ୍ଦେଶ୍ୟରେ ଆଡ୍ଭାଇଜରି ଜାରି କରିଥିଲା। ସେଠାରେ ମେଡିକାଲ ପଢ଼ୁଥିବା ଅଧିକାଂଶ ପିଲା ଯୁଦ୍ଧ ଆରମ୍ଭ ବେଳେ ଭାରତକୁ ଫେରିଆସିଥିବାବେଳେ ଆଉ ୧,୧୦୦ ଛାତ୍ରୀଛାତ୍ର ବର୍ତ୍ତମାନ ସୁଦ୍ଧା ଫେରିନାହାନ୍ତି। ଯୁଦ୍ଧ ଯୋଗୁ ଯେଉଁମାନଙ୍କ ପଢ଼ାରେ ବାଧା ସୃଷ୍ଟି ହୋଇଛି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଭାରତର ନ୍ୟାଶନାଲ ମେଡିକାଲ କମିଶନ (ଏନ୍ଏମ୍ସି) ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ଲେଖି ସୂଚନା ଦେଇଛନ୍ତି।