ଚଳିତବର୍ଷ ବାଲିଯାତ୍ରାରେ ଖୋଲିବ ୧୧ ଶହ ଦୋକାନ, ଜାଣନ୍ତୁ କିପରି କରିବେ ପଞ୍ଜିକରଣ

କଟକ,୧୫।୧୦: ପ୍ଲଟ ପଞ୍ଜୀକରଣ କଟକର ଐତିହାସିକ ବାଲିଯାତ୍ରା ଆସନ୍ତା ମାସ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିନିମନ୍ତେ ପ୍ଲଟ୍ ଆବଣ୍ଟନ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏହି ପଞ୍ଜୀକରଣ ପ୍ରକ୍ରିୟା ଜାରି ରହିବ । ୧୦ଟି ଟିମ୍ ପଞ୍ଜୀକରଣ ପାଇଁ ନିୟୋଜିତ ହୋଇଛନ୍ତି । ଚଳିତବର୍ଷ ୧୧ ଶହ ପ୍ଲଟ୍ ନିଲାମ ପ୍ରକ୍ରିୟାରେ ଅନ୍ତର୍ଭୁକ୍ତ ହୋଇଛି ।

ଜମି ପଞ୍ଜିକରଣ ଓ ନିଲାମ ଶାନ୍ତି ଶୃଙ୍ଖଳାରେ ଶେଷ ହେବା ନେଇ କଟକ ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଦିଗ ପ୍ରତି ଧ୍ୟାନ ଦିଆଯାଇଛି ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ କହିଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ୯୦୦ରୁ ଊର୍ଦ୍ଧ୍ୱ ବ୍ୟବସାୟୀ ବାଲିଯାତ୍ରା ପାଇଁ ପ୍ଲଟ୍ ପଞ୍ଜୀକରଣ କରିଥିଲେ । ଚଳିତ ବର୍ଷ ବିଶ୍ୱ ପ୍ରସିଦ୍ଧ ଐତିହାସିକ ବାଲିଯାତ୍ରା ନଭେମ୍ବର ୧୫ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଚଳିତ ବର୍ଷ ବାଲିଯାତ୍ରାରେ ଟ୍ରାଫିକ୍‌ ପରିଚାଳନା ଓ ଟଏଲଟ୍‌ ସମସ୍ୟାକୁ ଗୁରୁତ୍ବ ଦିଆଯାଉଛି। ଶୃଙ୍ଖଳିତ ଓ ସୁରକ୍ଷିତ ବାଲିଯାତ୍ରା କରାଯିବା ନେଇ ମଧ୍ୟ ଗୁରୁତ୍ବ ଦିଆଯିବ ବୋଲି ସେ କହିଛନ୍ତି।

କାର୍ତ୍ତିକ ପୂର୍ଣ୍ଣିମା ଦିନ ଓଡ଼ିଆମାନେ ଆକାମାବୈ ଗୀତ ବୋଲି ଡଙ୍ଗା ଭସାଇଥାନ୍ତି ଓ ଓଡ଼ିଶାର ଏହି ଅତୀତର ଇତିହାସକୁ ମନେପକାଇଥାନ୍ତି । ଏହି ସମୟକୁ ସାଧବମାନେ ବେପାର-ବଣିଜ ପାଇଁ ପ୍ରକୃଷ୍ଟ ସମୟ ଭାବୁଥିଲେ କାରଣ ପବନର ଗତି ସେମାନଙ୍କ ଯାତ୍ରାକୁ ସହଜ କରୁଥିଲା । କଟକଠାରେ ବାଲିଯାତ୍ରା ପ୍ରତି ବର୍ଷ ଗଡ଼ଗଡ଼ିଆ ଘାଟ ଓ ବାରବାଟି ଦୁର୍ଗ ନିକଟରେ ଅନୁଷ୍ଠିତ ହୋଇଥାଏ। ଏଠାକୁ ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସିଥାନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ଦେଖିବାକୁ ମିଳିବ।

Share