୧୧ ହଜାର କିଲୋ ପ୍ଲାଷ୍ଟିକ, ପଲିଥିନ ନଷ୍ଟ କରାଯିବ

ପୁରୀ ଅଫିସ, ୨।୧୦: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ କେନ୍ଦ୍ର ଯୁବ ଓ କ୍ରୀଡ଼ା ବ୍ୟାପାର ବିଭାଗ ଆହ୍ବାନ କ୍ରମେ ଶୁକ୍ରବାର ନେହେରୁ ଯୁବକେନ୍ଦ୍ର ପୁରୀ ପକ୍ଷରୁ ସ୍ବଚ୍ଛ ଭାରତ ଓ ସୁରକ୍ଷିତ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ନେହେରୁ ଯୁବକେନ୍ଦ୍ରର ପୂର୍ବାଞ୍ଚଳ ନିର୍ଦ୍ଦେଶକ ନବୀନ ନାୟକ, ଜାତୀୟ ସେବା ସଂସ୍ଥାର ଆଞ୍ଚଳିକ ନିର୍ଦ୍ଦେଶିକା ସରିତା ପଟେଲ, ଯୁବକେନ୍ଦ୍ର ନିର୍ଦ୍ଦେଶିକା ରୀତା ଭଗତ, ରାଜ୍ୟ ସମାଜସେବା ପୁରସ୍କାର ବିଜେତା ସଙ୍ଗଠକ ବଦ୍ରି ମିଶ୍ର ଯୋଗଦେଇ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ସେଠାରୁ ସଚେତନତା ଶୋଭାଯାତ୍ରା ବାହାରିଥିଲା। ସେହିପରି ପୁରୀ କେନ୍ଦ୍ରର ସଂଯୋଜକ ଜୟଶଙ୍କର ଯୋଶୀଙ୍କ ନେତୃତ୍ୱରେ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ଜିଲା ସଙ୍ଗଠକ ଉପେନ୍ଦ୍ର ବିଶ୍ୱାଳ, ସ୍ବର୍ଣ୍ଣଲତା ଜେନା, ମନୋରଞ୍ଜନ ସୁନ୍ଦର ରାୟ, ସଞ୍ଜୟ କୁମାର ପ୍ରଧାନ, ରୋଜାଲିନ ପଣ୍ଡା, ତାରା ପ୍ରସାଦ ଦାସ, ଶିବାନନ୍ଦ ପାଢ଼ୀ, କୃଷ୍ଣ ଚନ୍ଦ୍ର ସାହୁ ଏବଂ ସଂଯୁକ୍ତା ମାଝୀ ପ୍ରମୁଖ ବଡ଼ଦାଣ୍ଡ ଓ ବିଭିନ୍ନ ସାହି ଗଳିରୁ ପ୍ଲାଷ୍ଟିକ, ବର୍ଜ୍ୟବସ୍ତୁ, ପଲିଥିନ ସଂଗ୍ରହ କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ବିଭିନ୍ନ ବ୍ଲକ ଅଞ୍ଚଳରୁ ସମର ଶିକ୍ଷାର୍ଥୀ ବାହିନୀ ଓ ଜନପ୍ରତିନିଧିମାନଙ୍କ ସହଯୋଗରେ ୧୧ହଜାର କିଲୋ ପ୍ଲାଷ୍ଟିକ ଓ ପଲିଥିନ ସଂଗ୍ରହ କରାଯାଇ ତାହାକୁ ନଷ୍ଟ କରାଯିବାର ଲକ୍ଷ୍ୟ ରହିଛି ବୋଲି ପୁରୀ କେନ୍ଦ୍ରର ସଂଯୋଜକ ଯୋଶୀ ସୂଚନା ଦେଇଛନ୍ତି।