Categories: ଫୁରସତ

୫ ମିନିଟ୍‌ ପାର୍କିଂ ପାଇଁ ୧୧ ଲକ୍ଷ ଜରିମାନା

ଲଣ୍ଡନ, ୦୪।୦୮: ସାଧାରଣତଃ ଭାରତରେ ପାର୍କିଂ ପାଇଁ ଜରିମାନା ୫୦୦ କିମ୍ବା ୧୦୦୦ ଟଙ୍କା ରହିଥାଏ। କିନ୍ତୁ ଲଣ୍ଡନରୁ ଏପରି ଏକ ମାମଲା ସାମ୍‌ନାକୁ ଆସିଛି, ଯେଉଁଥିରେ ୫ ମିନିଟ ପାର୍କିଂ କରିବା ପାଇଁ ଜଣେ ମହିଳାଙ୍କୁ ୧୧ ହଜାର ପାଉଣ୍ଡ (ପ୍ରାୟ ୧୧ ଲକ୍ଷ ୮୦ ହଜାର ଟଙ୍କା) ଜରିମାନା ଲାଗିଛି। ଡାରଲିଙ୍ଗଟସ୍ଥିତ କାଉଣ୍ଟି ଡୁରୁମ ଅଞ୍ଚଳର ହାନ୍ନା ରବିନ୍ସନ୍‌ ନାମ୍ନୀ ଜଣେ ମହିଳା ସ୍ଥାନୀୟ ଫିଥାମ୍ସ ଅବକାଶ କେନ୍ଦ୍ରରେ ନିଜ କାର ପାର୍କିଂ କରିଥିବାବେଳେ ତାଙ୍କ ଉପରେ ଏହି ଜରିମାନା ଲାଗିଛି।

ବ୍ରିଟେନର ଏକ୍ସେଲ ପାର୍କିଂ ସେବା ଦ୍ୱାରା ଏକ ନୂତନ ୫ ମିନିଟ ଜରିମାନା ଦଣ୍ଡ ବ୍ୟବସ୍ଥା ଲାଗୁ କରାଯାଇଛି। ଏଠାକାର ଲୋକମାନେ ଫିଥାମ୍ସ ଅବକାଶ କେନ୍ଦ୍ରରେ ଥିବା ପାର୍କିଂ ସ୍ଥଳକୁ ବ୍ୟବହାର କରି ନିକଟରେ ଥିବା ସିନେମା ହଲ୍‌କୁ ବାରମ୍ବାର ଯାଉଥିଲେ। ଏହାକୁ ରୋକିବାକୁ ଉକ୍ତ ଅବକାଶ କେନ୍ଦ୍ରରେ ୫ ମିନିଟ୍‌ ଜରିମାନା ଦଣ୍ଡ ବ୍ୟବସ୍ଥା ଲାଗୁ କରାଯାଇଛି। ନିୟମ ଅନୁଯାୟୀ, ପ୍ରତ୍ୟେକ କାର୍‌ରେ ଥିବା ଯାତ୍ରୀଙ୍କୁ ଗାଡ଼ି ପାର୍କିଂ କରିବାର ୫ ମିନିଟ ମଧ୍ୟରେ ପାର୍କିଂ ଟିକେଟ କିଣିବା ସହ ଏହାର ଦେୟ ପୈଠ କରିବାକୁ ହେବ। ଏହି ଅବକାଶ କେନ୍ଦ୍ରରେ ଥିବା ପାର୍କିଂକୁ ଏଏନ୍‌ପିଆର୍‌ କ୍ୟାମେରା ଦ୍ୱାରା ତଦାରଖ କରାଯାଉଛି। ଏହି କ୍ୟାମେରା ପ୍ରତ୍ୟେକ ଗାଡ଼ିର ପ୍ରବେଶ ଏବଂ ପ୍ରସ୍ଥାନ ସମୟକୁ ରେକର୍ଡ କରିଥାଏ।

ସେ ସର୍ବଦା ପାର୍କିଂ ପାଇଁ ନିର୍ଦ୍ଧାରିତ ଦେୟ ପୈଠ କରୁଥିବା ରବିନ୍ସନ୍‌ କହିଛନ୍ତି। ଏକ ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ତାଙ୍କ ଉପରେ ଲଗାଯାଇଥିବା ୧୧ ଲକ୍ଷ ଟଙ୍କାର ଜରିମାନାକୁ ରବିନ୍ସନ୍‌ ହାସ୍ୟାସ୍ପଦ ବୋଲି କହିଛନ୍ତି। ସେ ଏହି ନୂଆ ପାର୍କିଂ ବ୍ୟବସ୍ଥାର ଉଦ୍ଦେଶ୍ୟ ଉପରେ ନୁହେଁ ବରଂ କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଇଛନ୍ତି। ନିୟମ ଅନୁଯାୟୀ, ୫ ମିନିଟ୍‌ ମଧ୍ୟରେ ପାର୍କିଂ ଟିକେଟ କିଣିବାକୁ ସେ ଚେଷ୍ଟା କରିଥିଲେ। କିନ୍ତୁ ଖରାପ ଇଣ୍ଟରନେଟ ସଂଯୋଗ କାରଣରୁ ଏଥିରେ ବିଫଳ ହୋଇଥିଲେ ବୋଲି ରବିନ୍ସନ୍‌ କହିଛନ୍ତି। ଏହି ପ୍ରସଙ୍ଗରେ ଅନ୍ୟ ଡ୍ରାଇଭରମାନେ ମଧ୍ୟ ରବିନ୍ସନ୍‌ଙ୍କୁ ସମର୍ଥନ କରିଛନ୍ତି। ମାତ୍ର ୫ ମିନିଟ୍‌ ମଧ୍ୟରେ ପାର୍କିଂ ଦେୟ ପୈଠ କରିବା ନେଇ ଦିଆଯାଇଥିବା ସମୟ ସୀମା କଷ୍ଟସାଧ୍ୟ ହୋଇଥିବା ସେମାନେ କହିଛନ୍ତି।

Share