ବଦଳିଲା ୧୧୧ ବାବୁଙ୍କ ଚୌକି

ଅନୁଗୋଳ,୨।୭(ଅମିତ କୁମାର ସାମଲ)ଅନୁଗୋଳ ଜିଲା ପ୍ରଶାସନର ବିଭିନ୍ନ ଅଫିସରସ୍ତରରେ ବଡ଼ଧରଣର ଅଦଳବଦଳ କରାଯାଇଛି। ଜିଲାର ବିଭିନ୍ନ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ୧୧୧ ଜଣ ବାବୁଙ୍କ ବଦଳି ତାଲିକା ବାହାରିଛି। ତେବେ ସ୍ବଚ୍ଛତାକୁ ଦୃଷ୍ଟିରେ ରଖି ଏହି ଅଦଳବଦଳ କରାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଯେଉଁମାନେ ଦୀର୍ଘ ବର୍ଷ ଧରି ଗୋଟିଏ ଚୌକିକୁ ମାଡ଼ି ବସିଥିଲେ, ସେମାନଙ୍କ ନାମ ବଦଳି ତାଲିକାରେ ରହିଛି। ଏହି ବଦଳି ତାଲିକାରେ ଆସିଷ୍ଟାଣ୍ଟ ସେକ୍‌ସନ୍‌ ଅଫିସର (ଏଏସ୍‌ଓ)ଙ୍କ ତାଲିକା ବେଶ୍‌ ଲମ୍ବା ରହିଛି। ଜିଲାର ତହସିଲ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ୫୨ ଜଣ ଏଏସ୍‌ଓଙ୍କ ବଦଳି କରାଯାଇଛି।
ପ୍ରକାଶ ଯେ, ଅନୁଗୋଳ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ ଦୀର୍ଘବର୍ଷ ହେବ ବହୁ ଅଫିସର ଗୋଟିଏ ଲେଖାଏ ଚୌକି ମାଡ଼ି ବସିଥିଲେ। ସେମାନଙ୍କ ବଦଳି ନ ହେବା ଓ ଗୋଟିଏ ସ୍ଥାନରେ ଦୀର୍ଘଦିନ ରହିଥିବାରୁ ଦୁର୍ନୀତିର ଗନ୍ଧ ଜିଲା ପ୍ରଶାସନ ବାରି ପାରିଥିଲା। ତେଣୁ ୫-ଟିକୁ ଆଧାର କରି ଏହି ଅଦଳବଦଳ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜିଲାର ବିଭିନ୍ନ କାର୍ଯ୍ୟାଳୟରେ କେତୋଟି ପଦବୀ ଖାଲି ପଡ଼ିଥିଲା। ଏହି ବଦଳି ସମୟରେ ତାହାକୁ ବିଚାରକୁ ନିଆଯାଇଛି। ଅନୁଗୋଳ ଜିଲାରେ କାର୍ଯ୍ୟ କରୁଥିବା ୯ ଜଣ ସେକସନ୍‌ ଅଫିସର(ଏସ୍‌ଓ) କୁଶଧ୍ୱଜ ଦେହୁରୀଙ୍କୁ ପାଲଲହଡ଼ା ବ୍ଲକରୁ ପାଲଲହଡ଼ା ଉପଜିଲାପାଳ କାର୍ଯ୍ୟାଳୟକୁ ବଦଳି କରାଯାଇଛି। ସେହିପରି ଛେଣ୍ଡିପଦା ବ୍ଲକରେ ଥିବା ସଞ୍ଜୟ କୁମାର ସାହୁଙ୍କୁ ଆଠମଲ୍ଲିକ ତହସିଲ କାର୍ଯ୍ୟାଳୟ, କଣିହଁା ତହସିଲରେ କାର୍ଯ୍ୟ କରୁଥିବା ପବନି ବାରିକଙ୍କୁ ଅନୁଗୋଳ ତହସିଲ କାର୍ଯ୍ୟାଳୟ, କଣିହଁା ବ୍ଲକ କାର୍ଯ୍ୟାଳୟରେ ଥିବା ସୁଦର୍ଶନ ନାୟକଙ୍କୁ କଣିହଁା ତହସିଲ କାର୍ଯ୍ୟାଳୟ, ତାଳଚେର ତହସିଲରେ କାର୍ଯ୍ୟ କରୁଥିବା ଗୌରାଙ୍ଗ ଚନ୍ଦ୍ର ମହାନ୍ତିଙ୍କୁ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ, କିଶୋରନଗର ତହସିଲରେ କାର୍ଯ୍ୟ କରୁଥିବା ସଞ୍ଜୟ କୁମାର ସରଙ୍କୁ ବଅଁରପାଳ ତହସିଲ କାର୍ଯ୍ୟାଳୟ, ବଅଁରପାଳ ତହସିଲରେ କାର୍ଯ୍ୟ କରୁଥିବା ଦିଲୀପ କୁମାର ପୃଷ୍ଟିଙ୍କୁ କିଶୋରନଗର ତହସିଲ କାର୍ଯ୍ୟାଳୟ, ଅନୁଗୋଳ ତହସିଲରେ କାର୍ଯ୍ୟ କରୁଥିବା ବିପିନ ବିହାରୀ ବେହେରାଙ୍କୁ ପାଲଲହଡ଼ା ବ୍ଲକ କାର୍ଯ୍ୟାଳୟ ଓ ଆଠମଲ୍ଲିକ ତହସିଲରେ କାର୍ଯ୍ୟ କରୁଥିବା ସଦାନନ୍ଦ ସ୍ବାଇଁଙ୍କୁ ଅନୁଗୋଳ ଡିିଏସ୍‌ଡବ୍ଲ୍ୟୁକୁ ବଦଳି କରାଯାଇଛି। ଏଥିସହ ୧୯ ଜଣ ଆର୍‌ଆଇ, ୧୭ ଅମିନ୍‌ ଓ ୧୪ ଜଣ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଟଙ୍କୁ ମଧ୍ୟ ବଦଳି କରାଯାଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ବଦଳି କରିଥିବାବେଳେ ବିଭିନ୍ନ ସରକାରୀ ଦପ୍ତରକୁ ଚିଠି କରାଯାଇ ତୁରନ୍ତ ନୂତନ କାର୍ଯ୍ୟାଳୟରେ ଯୋଗ ଦେବାକୁ ବଦଳି କରାଯାଇଥିବା ବାବୁମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।