ଯୁକ୍ତ୩ରେ ଖାଲିପଡ଼ିଛି ୧,୧୧,୧୦୮ ସିଟ୍‌

ଭୁବନେଶ୍ୱର, ୩୧।୮(ଅସମାପିକା ସାହୁ)୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ଯୁକ୍ତ୩ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ୪ଟି ରାଉଣ୍ଡ୍‌ ନାମଲେଖା ହୋଇଥିଲେ ମଧ୍ୟ ସିଟ୍‌ ପୂରଣ ହୋଇପାରି ନାହିଁ। ଏବେ ବି ଲକ୍ଷେରୁ ଊର୍ଦ୍ଧ୍ୱ ସିଟ୍‌ ଖାଲି ପଡ଼ିଛି। ଯୁକ୍ତ୨ ଭଳି ଯୁକ୍ତ୩ ପାଇଁ ବି ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବାର ଆଶଙ୍କା ରହିଛି। ସାମ୍ସ ପୋର୍ଟାଲରୁ ମିଳିଥିବା ସୂଚନାନୁସାରେ, ଗତ ଜୁଲାଇ ୧୫ରୁ ଯୁକ୍ତ୩ ନାମଲେଖା ଆରମ୍ଭ ହୋଇ ଅଗଷ୍ଟ ୨୮ରେ ସରିଥିଲା। ରାଜ୍ୟର ୧,୦୪୦ ଡିଗ୍ରୀ କଲେଜରେ ୨,୭୦,୧୬୩ ସିଟ୍‌ ରହିଥିବାବେଳେ ୪ଟି ରାଉଣ୍ଡ୍‌ରେ ୧,୫୯,୦୫୫ଜଣ ନାମ ଲେଖାଇଛନ୍ତି ଓ ୧,୧୧,୧୦୮ ସିଟ୍‌ ଖାଲି ପଡ଼ିଛି। ଏଥିମଧ୍ୟରୁ କଳାରେ ୪୮,୪୫୪, ପଦାର୍ଥ ବିଜ୍ଞାନରେ ୨୬,୫୦୦, ଜୈବ ବିଜ୍ଞାନରେ ୧୨,୩୪୨, ବାଣିଜ୍ୟରେ ୧୭,୦୬୯, ସେଲ୍‌ଫ ଫାଇନାନ୍ସିଂରେ ୯୮୭ ଏବଂ ସଂସ୍କୃତରେ ୫,୭୫୬ଟି ସିଟ୍‌ ଖାଲି ପଡ଼ିଛି। ଲକ୍ଷେରୁ ଅଧିକ ସିଟ୍‌ ବଳି ପଡ଼ିଯାଇଥିବାରୁ ଏବେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବା ସମ୍ଭାବନା ରହିଛି।

Share