ଖଣି ଭୁଶୁଡ଼ି ୧୧୩ ମୃତ

ୟାଙ୍ଗୁନ୍‌,୩।୭:ଉତ୍ତର ମ୍ୟାନ୍‌ମାରରେ ଥିବା ଏକ ମୂଲ୍ୟବାନ୍‌ ରତ୍ନପଥର (ମଣି) ଖଣି ଗୁରୁବାର ଭୁଶୁଡ଼ି ପଡ଼ିବାରୁ ୧୧୩ ଜଣଙ୍କର ମୃତ୍ୟୁ ଘଟିଛି। ଆହୁରି କେତେଜଣ ପୋତିହୋଇପଡ଼ିଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। କଚିନ ରାଜ୍ୟର ହାପାକାଣ୍ଟ ଅଞ୍ଚଳରେ ଥିବା ଉକ୍ତ ଖଣିରୁ ଶ୍ରମିକମାନେ ମୂଲ୍ୟବାନ୍‌ ରତ୍ନପଥର ସଂଗ୍ରହ କରୁଥିବାବେଳେ ପ୍ରବଳ ବର୍ଷା ହେବାରୁ ସେମାନଙ୍କ ଉପରେ କାଦୁଅ ପାଣି ମାଡ଼ିଯାଇଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରୁ ୧୧୩ ଜଣଙ୍କ ମୃତଦେହ ଉଦ୍ଧାର କରିଥିବାବେଳେ ଏହାଠାରୁ ଅଧିକ ନିଖୋଜ ଥିବା କୁହାଯାଉଛି। ସୋସିଆଲ ମିଡିଆରେ ଛଡ଼ାଯାଇଥିବା ଭିଡିଓ ଫୁଟେଜ୍‌ରୁ ଦୁର୍ଘଟଣାର ଭୟାବହ ଚିତ୍ର ଦେଖିବାକୁ ମିଳିଛି।
ସୁନାମି ଭଳି କାଦୁଅ ପାଣିର ଢେଉ ଉକ୍ତ ଖଣି ମଧ୍ୟକୁ ମାଡ଼ିଆସିଥିଲା। ମୃତ୍ୟୁମୁଖରୁ ବର୍ତ୍ତିବା ପାଇଁ ଶ୍ରମିକମାନେ ଉପରକୁ ଉଠିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପାହାଡ଼ ତଳଭାଗରେ ଥିବା ଲୋକେ ମୁହୂର୍ତ୍ତକ ମଧ୍ୟରେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏବେ ମଧ୍ୟ ୧୦୦ରୁ ଅଧିକ ନିଖୋଜ ଥିବାବେଳେ ୩୦ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି।
ୟାଙ୍ଗୁନ୍‌ ସହରଠାରୁ ୯୫୦ କିଲୋମିଟର ଦୂରରେ ଅବସ୍ଥିତ ଏହି ଅଞ୍ଚଳ ବିଶ୍ୱର ବୃହତ ଜେଡ୍‌ ଖଣି ଶିଳ୍ପର କେନ୍ଦ୍ରସ୍ଥଳ। ଏଠାର ଖଣିଗୁଡ଼ିକ ଉପରେ ସରକାରଙ୍କର ଉପଯୁକ୍ତ ନିୟନ୍ତ୍ରଣ ନ ଥିବାବେଳେ ସାରା ଦେଶରୁ ଗରିବ ଶ୍ରମିକମାନେ ଏଠାକୁ ରତ୍ନପଥର ସଂଗ୍ରହ କରିବାକୁ ଆସିଥାନ୍ତି। ବଡ଼ ଖଣି ଅପରେଟରମାନେ ମୂଲ୍ୟବାନ୍‌ ରତ୍ନପଥର ସଂଗ୍ରହ କରିନେବା ପରେ ସେଠାରେ ଯେଉଁ କ୍ଷୁଦ୍ର କଣିକା ସବୁ ପଡିରହିଥାଏ, ସେଗୁଡ଼ିକୁ ସଂଗ୍ରହ କରି ଏହି ଗରିବ ଶ୍ରମିକମାନେ ଗୁଜୁରାଣ ମେଣ୍ଟାଇଥାନ୍ତି। ଅନେକ ସମୟରେ ଏଠାରେ ଭୂସ୍ଖଳନ ଓ ଅନ୍ୟାନ୍ୟ ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଇଥାଏ। ତେବେ ଗତ ୫ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ଦୁର୍ଘଟଣା ବୋଲି କୁହାଯାଉଛି। ୨୦୧୫ରେ ଉକ୍ତ ଖଣି ଭୁଶୁଡ଼ି ୧୧୬ ଜଣଙ୍କ ମୃତ୍ୟୁ ଘଟିଥିଲା।

Share