ମୁମ୍ବାଇ,୧୦ ।୧: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ବେଳକୁ ବେଳ ବେକାବୁ ହେବାରେ ଲାଗିଛି । ଏଠାରେ ଗୋଟିଏ ଦିନରେ ୪୪ ହଜାରରୁ ଊର୍ଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହେବା ପରେ ସାରା ଦେଶବାସୀଙ୍କ ମନରେ ଛନକା ପସିଯାଇଛି । ମିଳିଥିବା ସୂଚନା ଅନୁଯାୟୀ , ମହାରାଷ୍ଟ୍ରରେ ୧୧୪ ପୋଲିସ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାସହ ୧୮ଜଣ ବରିଷ୍ଠ ଅଧିକାରୀ ବି କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ୧୩ ଡିସିପି, ୪ ଆଡିସନାଲ ସିପି ଏବଂ ଜଣେ ସିପି ରହିଛନ୍ତି । ଏହାସହ ଗତ ୪୮ ଘଣ୍ଟା ମଧ୍ୟରେ ମହାମାରୀ କରୋନା ସଂକ୍ରମଣରେ ୨ ପୋଲିସଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, କରୋନା ଭାଇରସରେ ଯେତିକି ପରିମାଣରେ ଲୋକେ ସଂକ୍ରମିତ ହେଉଛନ୍ତି ସେହିପରି ଭାବେ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟି ଯାଇଛି ।