Categories: ଜାତୀୟ

ରାଷ୍ଟ୍ରପତି ନିର୍ବାଚନ ପାଇଁ ୧୧୫ ନାମାଙ୍କନ ଦାଖଲ, ଯାଞ୍ଚ୍‌ ପୂର୍ବରୁ ୨୮ ଖାରଜ…

ନୂଆଦିଲ୍ଲୀ, ୩୦।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ବୁଧବାର ଶେଷ ହୋଇଛି। ଜୁନ ୨୯ ତାରିଖ ପର୍ଯ୍ୟନ୍ତ ମୋଟ ୧୧୫ ନାମାଙ୍କନପତ୍ର ଦାଖଲ କରାଯାଇଥିଲା । ସେଥିମଧ୍ୟରୁ ୮୭ଟି ନାମାଙ୍କନ ଯାଞ୍ଚ ପାଇଁ ବାକି ଅଛି । ଗୁରୁବାର ଏହି ନାମାଙ୍କନଗୁଡ଼ିକର ପତ୍ର ଯାଞ୍ଚ କରାଯିବ।

ସୂତ୍ରରୁ ପ୍ରକାଶ ଯେ ମୋଟ ୧୧୫ ନାମାଙ୍କନ ମଧ୍ୟରୁ ୨୮ ଜଣ ପ୍ରାର୍ଥୀଙ୍କ ନାମ ସହିତ ଭୋଟର ତାଲିକା ଦାଖଲ ନକରି ଥିବାରୁ ଏସବୁକୁ ଖାରଜ କରାଯାଇଥିଲା। ଅବଶିଷ୍ଟ ୮୭ ନାମାଙ୍କନପତ୍ର ୭୨ ଜଣ ପ୍ରାର୍ଥୀଙ୍କର ରହିଛି। ସେସବୁ ଗୁରୁବାର ଯାଞ୍ଚ କରାଯିବ।

ନାମାଙ୍କନପତ୍ର ଦାଖଲ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ନ୍ୟାଶନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବଂ ମିଳିତ ବିରୋଧୀ ଦଳର ଯଶୱନ୍ତ ସିହ୍ନା ଅଛନ୍ତି। ନିର୍ବାଚନରେ ଦ୍ରୌପଦୀ ମୁର୍ମୁ ଏବଂ ଯଶୱନ୍ତ ସିହ୍ନା ମୁଖ୍ୟ ପ୍ରାର୍ଥୀ ଅଟନ୍ତି।

ଅନେକ ସାଧାରଣ ଲୋକ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ପାଇଁ ନାମାଙ୍କନ ମଧ୍ୟ ଦାଖଲ କରିଛନ୍ତି। ଏଥିମଧ୍ୟରେ ମୁମ୍ବାଇର ଏକ ବସ୍ତି ବାସିନ୍ଦା, ରାଷ୍ଟ୍ରୀୟ ଜନତା ଦଳର ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବଙ୍କ ସମାନ ନାମଧାରୀ ବ୍ୟକ୍ତି, ତାମିଲନାଡୁର ସାମାଜିକ କାର୍ଯ୍ୟକର୍ତ୍ତା ତଥା ଦିଲ୍ଲୀର ଜଣେ ପ୍ରଫେସର ଅଛନ୍ତି।

Share