Categories: ଜାତୀୟ

ସତ୍‌ସଙ୍ଗରେ ଦଳାଚକଟା: ୧୧୬ ମୃତ

ହାଥରସ୍‌(ୟୁପି),୩ା୭: ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୧୬ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଓ ଛୋଟ ପିଲା। ଆହତମାନଙ୍କୁ ହାଥରସ୍‌ ଏବଂ ଇଟାହ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ଧର୍ମୀୟ କାର୍ଯ୍ୟକ୍ରମରେ ଅତ୍ୟଧିକ ଜନସମାଗମ ଯୋଗୁ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି। ଭୋଲେ ବାବା ଭାବେ ପରିଚିତ ଆତ୍ମଘୋଷିତ ଗଡ୍‌ମ୍ୟାନ୍‌ ନାରାୟଣ ସାକର ହରିଙ୍କ ମାନବ ମଙ୍ଗଳ ମିଲନ ସଦ୍‌ଭାବନା ସମାଗମ କମିଟି ପକ୍ଷରୁ ଏହି ସତ୍‌ସଙ୍ଗର ଆୟୋଜନ କରାଯାଇଥିଲା।
୧୧୬ ଜଣଙ୍କ ମୃତ୍ୟୁ ଘଟିଥିବା ଆଲିଗଡ଼ କମିଶନ ଚୈତ୍ରା ଭି. ସ୍ପଷ୍ଟ କରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭ ଜଣ ଇଟାହ ଜିଲାର। ଷ୍ଟାମ୍ପେଡ୍‌ରେ ୧୮ ଜଣ ଆହତ ହୋଇଥିବା ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ଘଟଣାର ତଦନ୍ତ ପାଇଁ ଏକ କମିଟି ଗଢ଼ାଯାଇଛି। ମୃତକଙ୍କ ପରିବାରକୁ ୨ ଲକ୍ଷ ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଆର୍ଥତ୍କ ସହାୟତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଦଳାଚକଟାରେ ଏତେ ସଂଖ୍ୟାରେ ଲୋକଙ୍କ ଜୀବନ ଯିବା ଘଟଣାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକବ୍ୟକ୍ତ କରିବା ସହ ମୃତକମାନଙ୍କ ପରିବାରକୁ ସବବେଦନା ଜଣାଇଛନ୍ତି। ଏଥିସହିତ ସେମାନେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। କେନ୍ଦ୍ର ସରକାର ରାଜ୍ୟକୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି, ବର୍ତ୍ତମାନ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିବା ସହ ଆହତମାନଙ୍କୁ ହସ୍ପିଟାଲରେ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାସ୍ଥଳକୁ ରାଜ୍ୟ ମନ୍ତ୍ରୀ ଲକ୍ଷ୍ମୀନାରାୟଣ ଚୌଧରୀ ଏବଂ ସନ୍ଦୀପ୍‌ ସିଂ ଯାଇଥିବାବେଳେ ମୁଖ୍ୟ ଶାସନ ସଚିବ ଓ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ମଧ୍ୟ ସେଠାକୁ ପଠାଯାଇଛି। ପୋଲିସ କହିବା ଅନୁଯାୟୀ ସତ୍‌ସଙ୍ଗ କାର୍ଯ୍ୟକ୍ରମ ବେଳେ ଅତ୍ୟଧିକ ଗହଳି ଯୋଗୁ ଲୋକେ ଶ୍ୱାସରୁଦ୍ଧ ଭଳି ସ୍ଥିତି ଉପୁଜିଥିଲା। ଫଳରେ ଲୋକେ ସତ୍‌ସଙ୍ଗ ସ୍ଥଳ ଛାଡ଼ି ଦୌଡ଼ିବା ଆରମ୍ଭ କରିବାରୁ ଦଳାଚକଟା ହୋଇଥିଲା। ପ୍ରତ୍ୟକ୍ଷ ଦର୍ଶୀଙ୍କ କହିବା ଅନୁଯାୟୀ ଦଳାଚଳକଟା ବେଳର ଦୃଶ୍ୟ ଅତ୍ୟନ୍ତ ଭୟାବହ ଥିଲା। ସତ୍‌ସଙ୍ଗରେ ପ୍ରବଳ ଜନଗହଳି ହୋଇଥିଲା। ଏହା ସରିବା ପରେ ଲୋକେ ସଭାସ୍ଥଳ ଛାଡ଼ି ଏକ ସଂକୀର୍ଣ୍ଣ ପଥ ଦେଇ ବାହାରିଥିଲେ। ଏହି ସମୟରେ ହଠାତ୍‌ ହଇଚଇ ସୃଷ୍ଟି ହୋଇଥିଲା। ପ୍ରସ୍ଥାନ ରାସ୍ତା ଏକ ଡ୍ରେନ୍‌ ଉପରେ ନିର୍ମାଣ ହୋଇଥିଲା। ଜଣକ ପରେ ଜଣେ ଲୋକ ଡ୍ରେନ୍‌ ଭିତରକୁ ଖସିପଡ଼ିଥିଲେ ଓ ଦଳାଚକଟାରେ ଅନେକଙ୍କର ମୃତ୍ୟୁ ଘଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।
ପଶ୍ଚିମ ୟୁପିର ଭୋଲେ ବାବା ଖୁବ୍‌ ଲୋକପ୍ରିୟ, ଯାହାଙ୍କ ପ୍ରବଚନ ଶୁଣିବା ପାଇଁ ବିଭିନ୍ନ ରାଜ୍ୟରୁ ହଜାର ହଜାର ଲୋକ ଏକତ୍ରିତ ହୋଇଥାନ୍ତି। ତାଙ୍କର ପ୍ରକୃତ ନାମ ସୂରଜପାଲ ହୋଇଥିବାବେଳେ ଲୋକେ ତାଙ୍କୁ ହରି ଭୋଲେ ବାବା ଭାବେ ଜାଣନ୍ତି। କାସଗଞ୍ଜର ପଟିୟାଲି ଗ୍ରାମରେ ରହୁଥିବା ବାବାଙ୍କର ସେଠାରେ ଏକ ଆଶ୍ରମ ରହିଛି। ସେ ୧୮ ବର୍ଷ ପୂର୍ବରୁ ପୋଲିସ ଚାକିରି କରିଥିଲେ। ୨୦୦୬ରେ ସେ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇ ବୁଲି ବୁଲି ଭଗବାନଙ୍କ ଭକ୍ତିର ପ୍ରସାର କରିଥିଲେ। ଧୀରେ ଧୀରେ ସେ ସତ୍‌ସଙ୍ଗ ଆୟୋଜନ କରିବା ସହ ଉତ୍ତରପ୍ରଦେଶରେ ବେଶ୍‌ ଲୋକପ୍ରିୟ ହୋଇଯାଇଥିଲେ।

Share