ସ୍ବାଭିମାନ ଅଞ୍ଚଳରେ ମୃତ ବ୍ୟକ୍ତିଙ୍କ ନାମରେ ଉଠୁଛି ଭତ୍ତା ଟଙ୍କା

ଚିତ୍ରକୋଣ୍ଡା,୪।୧୧(ଡି.ଏନ.ଏ.)- ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ସ୍ବାଭିମାନ ଅଞ୍ଚଳରେ ଶତାଧିକ ମୃତ ବ୍ୟକ୍ତିଙ୍କ ନାମରେ ୩/୪ ବର୍ଷ ହେଲା ଭତ୍ତା ଟଙ୍କା ଉଠାଯାଉଛି। ରାଲେଗାଡ଼ ପଞ୍ଚାୟତରେ ୪ ଜଣ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠାଯାଉଥିବା ବେଳେ ଧୂଳିପୁଟରେ ୮ ଜଣ, ଗାଜୁଲୁମାମୁଡିରେ ୨୯ ଜଣ, ଯନ୍ତ୍ରୀରେ ୧୬ ଜଣ, ପଣଷପୁଟରେ ୬ ଜଣ, ଯୋଡ଼ାମ୍ବ ପଞ୍ଚାୟତରେ ୫ଜଣ ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠାଯାଉଛି। ଏହାବ୍ୟତୀତ ଆଖପାଖ ଅନ୍ୟ ପଞ୍ଚାୟତର ଭତ୍ତା ଟଙ୍କା ନେଇ ହିସାବ କଲେ ଶତାଧିକ ମୃତବ୍ୟକ୍ତିଙ୍କ ନାମରେ ଭତ୍ତା ଅର୍ଥ ହଡପ କରାଯାଉଛି। ଗତ ଦୁଇ ମାସ ତଳେ ଗୁଣ୍ଠାୱାର୍ଡl ପଞ୍ଚାୟତରେ ହୋଇଥିବା ସାମାଜିକ ସମୀକ୍ଷା ଗ୍ରାମସଭାରେ ୧୨ ଜଣ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ପ୍ରଦାନ କରାଯାଉଥିବା ଅଭିଯୋଗ ହୋଇଥିଲା। ବହୁ ଦିନର ବ୍ୟବଧାନ ପରେ ସାମାଜିକ ସମୀକ୍ଷା ହୋଇଥିଲା। ଜିଲାସ୍ତରୀୟ ସାମାଜିକ ସମୀକ୍ଷକ ଦଳର ଏକ ସ୍ବତନ୍ତ୍ର ଟିମ୍‌ ଚିତ୍ରକୋଣ୍ଡା ବ୍ଲକ ଅଧୀନ ସ୍ବାଭିମାନ ଅଞ୍ଚଳକୁ ଯାଇ ୯ଟି ପଞ୍ଚାୟତର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଓ ଜାତୀୟ ସାମାଜିକ ସହାୟତା ଯୋଜନାର ସାମାଜିକ ସମୀକ୍ଷା କରିଥିଲେ। ଜିଲା ସାମାଜିକ ସମୀକ୍ଷକ ସୁବ୍ରତ କୁମାର ସାମଲ ନେତୃତ୍ୱ ନେଇଥିଲେ। ସଂଗ୍ରାମ କେଶରୀ ମାହାଲିକ, ବେଲାଳସେନ ଗୁଣ୍ଠା, ରାକେଶ ଦାସ, ଟି. ମୁରଲୀକ୍ରିଷ୍ଣା, ଚନ୍ଦ୍ରକାନ୍ତ ପଣ୍ଡା, ସୁଜାତା ବିଶ୍ୱାସ, ଅଜିତ ସଗରିଆ, ସାବିନା ସାହା ସାମାଜିକ ସମୀକ୍ଷା ପରିଚାଳନା କରିଥିଲେ। ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠାଯାଉଥିବା ଅଭିଯୋଗ ସମ୍ପର୍କରେ ବିଡିଓ ଲରିମନ ଖରସେଲଙ୍କୁ ପଚାରିବାରୁ ସେ କହିଥିଲେ ଯେ, ଆସିଥିବା ଅଭିଯୋଗର ତଦନ୍ତ କରାଯିବ। ଯଦି କୌଣସି ପଞ୍ଚାୟତରେ ଏଭଳି ହୋଇଥାଏ ସତ୍ୟତା ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।