ଅନୁଗୋଳ,୧୦।୧୦(ଅମିତ କୁମାର ସାମଲ): ଅନୁଗୋଳ ଫରେଷ୍ଟ ରେଞ୍ଜର ଟ୍ରେନିଂ କଲେଜ ପଡ଼ିଆରେ ଆସନ୍ତା ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ବିଦ୍ୟାଳୟ ଖୋଖୋ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ବିଭିନ୍ନ ଜିଲାରୁ ୧୮ଶହ ଛାତ୍ରୀଛାତ୍ରଙ୍କ ସହ ଅଫିସିଆଲ୍ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ପ୍ରତିଯୋଗିତାରେ ୧୭ ବର୍ଷରୁ କମ୍ ବର୍ଗରେ ବାଳିକା ଓ ବାଳକଙ୍କ ମଧ୍ୟରେ ଖୋଖୋ ଖେଳାଯିବାକୁ ଥିବାବେଳେ ୧୪ ବର୍ଷରୁ କମ୍ ବର୍ଗର ବାଳିକା ଓ ବାଳକଙ୍କ ମଧ୍ୟରେ ମଧ୍ୟ ମ୍ୟାଚ ଖେଳାଯିବ। ଏ ନେଇ ଅନୁଗୋଳ ଜିଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠଙ୍କ ସହ ଅନ୍ୟ ଅଧିକାରୀମାନେ ସୋମବାର ପ୍ରତିଯୋଗିତା ହେବାକୁ ଥିବା ପଡ଼ିଆ ଅନୁଧ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ଆସୁଥିବା ଛାତ୍ରୀଙ୍କ ରହିବା ପାଇଁ ଅନୁଗୋଳ ଉଚ୍ଚ ବିଦ୍ୟାଳୟ ସହ ବାଳିକା ଉଚ୍ଚ ବିଦ୍ୟାଳୟ ଓ ପିଟିସି ଉଚ୍ଚ ବିଦ୍ୟାଳୟରେ ବ୍ୟବସ୍ଥା କରାଯାଇଛି। ସେହିଭଳି ଛାତ୍ରଙ୍କ ରହିବା ପାଇଁ ଅନୁଗୋଳ ଟାଉନ୍ ହାଇସ୍କୁଲ ସହ କୁମଣ୍ଡ ଜରାସିଂହା ଉଚ୍ଚ ବିଦ୍ୟାଳୟ, କଲ୍ୟାଣ ମଣ୍ଡପ, କଲେଜପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ଇନଡୋର ହଲ୍ରେ ବ୍ୟବସ୍ଥା କରାଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟସ୍ତରୀୟ ଖେଳାଳିଙ୍କ ଚୟନ କରାଯିବାର କାର୍ଯ୍ୟକ୍ରମ ରହିଥିବା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।