ମହିଳାଙ୍କ ଆକାଉଣ୍ଟରୁ ଗାଏବ ହୋଇଗଲା ୧୨.୪୫ ଲକ୍ଷ

ବାଲେଶ୍ୱର ଅଫିସ, ୨୯।୧୨: ବାଲେଶ୍ୱର ଜିଲାରେ ଏକ ବଡ଼ଧରଣର ସାଇବର ଠକେଇ ସାମ୍ନାକୁ ଆସିଛି। ଜଣେ ମହିଳାଙ୍କ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ, ବାଲେଶ୍ୱର ବ୍ରାଞ୍ଚରେ ଥିବା ଫିକ୍ସଡ୍‌ ଡିପୋଜିଟ୍‌ (ଏଫ୍‌ଡି) ୧୦ଲକ୍ଷ ଏବଂ ସେଭିଂ ଆକାଉଣ୍ଟରୁ ୨ଲକ୍ଷ ୪୫ହଜାର ଟଙ୍କା ଗାଏବ ହୋଇଯାଇଛି। ଏ ସମ୍ପର୍କରେ ମହିଳା ଜଣକ ଜାଣିବା ପରେ ବୁଧବାର ଅନ୍‌ଲାଇନରେ କଟକସ୍ଥିତ ନ୍ୟାଶନାଲ ସାଇବର କ୍ରାଇମ୍‌ ଥାନାରେ ଅଭିଯୋଗ କରିଛନ୍ତି। ବାଲେଶ୍ୱର ସହଦେବଖୁଣ୍ଟା ମଡ଼େଲ ଥାନାରେ ମଧ୍ୟ ଏକ ଲିଖିତ ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଥିବା ମହିଳା ଜଣକ ହେଲେ ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସି ଅଧୀନ ବାଲିଗୋହିରୀ ଗ୍ରାମର ଜ୍ୟୋତ୍ସ୍ନାରାଣୀ ପାତ୍ର।

ଜ୍ୟୋତ୍ସ୍ନାରାଣୀ ୨୦୨୦ ସେପ୍ଟେମ୍ବର ୨୩ରେ ୫ଲକ୍ଷ ଲେଖାଏ ଦୁଇଟି ଏଫ୍‌ଡି ଫକୀରମୋହନ ଗୋଲେଇସ୍ଥିତ ଇଣ୍ଡସ୍‌ଇଣ୍ଡ ବ୍ୟାଙ୍କ ଶାଖାରେ ରଖିଥିଲେ। ୨୦୨୩ ଅଗଷ୍ଟ ୨୩ରେ ଏହା ମାଚ୍ୟୁରିଟି ହେବାକୁ ଥିବା ବେଳେ ଗତ ମଙ୍ଗଳବାର ତାଙ୍କ ଆକାଉଣ୍ଟରୁ ସାଇବର ଠକଙ୍କ ଦ୍ୱାରା ଏଫ୍‌ଡିରୁ ୧୬ଥରରେ ୧୦ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ବୁଧବାର ପୂର୍ବାହ୍ନ ୧୧ଟାରେ ଜ୍ୟୋତ୍ସ୍ନାରାଣୀଙ୍କ ସ୍ବାମୀ ସମୀର ରାଉତ ବ୍ୟାଙ୍କରେ ପହଞ୍ଚତ୍ ଟଙ୍କା ଡିପୋଜିଟ୍‌ କରିବା ପାଇଁ ପହଞ୍ଚତ୍ବା ପରେ ତାଙ୍କ ଏଫ୍‌ଡିରେ ଥିବା ଟଙ୍କାକୁ ସାଇବର ଠକ ଲୁଟି ନେଇଥିବା ଜାଣିବାକୁ ପାଇଥିଲେ। ସେ ସଙ୍ଗେ ସଙ୍ଗେ ତାଙ୍କର ସେଭିଂ ଆକାଉଣ୍ଟକୁ ଲକ୍‌ କରିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ମାତ୍ର ବ୍ୟାଙ୍କ କର୍ମଚାରୀ ତାଙ୍କ ଆବେଦନକୁ ଭ୍ରୂକ୍ଷେପ ନ କରି ସାଇବର ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ କହିଥିଲେ। ଜ୍ୟୋତ୍ସ୍ନାରାଣୀ ଜିଲା ଏସ୍‌ପିଙ୍କ ଅଫିସ୍‌ରେ ପହଞ୍ଚତ୍ ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ପରାମର୍ଶ ଅନୁସାରେ ବ୍ୟାଙ୍କକୁ ଯାଇ ଆକାଉଣ୍ଟର ଡିଟେଲ୍‌ସ ଆଣିବା ପାଇଁ ବ୍ୟାଙ୍କକୁ ଆସିଥିଲେ। ସେଭିଙ୍ଗ୍‌ ଆକାଉଣ୍ଟରେ ଥିବା ୨ଲକ୍ଷ ୪୫ହଜାର ଟଙ୍କାକୁ ମଧ୍ୟ ସାଇବର ଠକ ଅଳ୍ପ ସମୟ ପୂର୍ବରୁ ୩ ଥରରେ ଲୁଟି ନେଇଥିବା ଜଣାପଡ଼ିଥିଲା। ବ୍ୟାଙ୍କ କର୍ମଚାରୀଙ୍କ ମନମୁଖି କାର୍ଯ୍ୟ ଯୋଗୁ ତାଙ୍କର ଟଙ୍କା ଲୁଟ୍‌ ହୋଇଥିବା ସମୀର ଅଭିଯୋଗ କରିଛନ୍ତି। ନିଜର ଜମି ବିକ୍ରି କରି ଏଫ୍‌ଡି କରିଥିବା ଟଙ୍କା ହରାଇ ଉଭୟ ଦମ୍ପତି ଏକପ୍ରକାର ମାନସିକ ଦୁଶ୍ଚିନ୍ତାରେ ରହିଛନ୍ତି। ଏଫ୍‌ଡି ବଣ୍ଡ ତାଙ୍କ ନିକଟରେ ଥିବାବେଳେ ଟଙ୍କା କିପରି ଲୁଟ୍‌ ହେଉଛି ଏହାକୁ ନେଇ ବ୍ୟାଙ୍କର କର୍ମଚାରୀଙ୍କ କାର୍ଯ୍ୟକଳାପ ଉପରେ ଦମ୍ପତି ସନ୍ଦେହ ପ୍ରକଟ କରିଛନ୍ତି। ଟଙ୍କା ଫେରି ନ ପାଇଲେ ବ୍ୟାଙ୍କ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

Share